Uncategorized
ଟ୍ରକକୁ ପିଟିଲା ଟ୍ରଲର : ୨ ମୃତ


ଭୁବନେଶ୍ବର: ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥର ରେଳ ଓଭରବ୍ରିଜ୍ ନିକଟରେ ଟ୍ରକ୍ ଓ ଟ୍ରଲର ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ଭୋର ସମୟରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ, ରେଳ ଓଭରବ୍ରିଜ୍ ତଳେ ଏକ ମାଲବୋଝେଇ ଟ୍ରକ୍ ସହ ଟ୍ରଲରର ଧକ୍କା ହୋଇଥିଲା। ଧକ୍କା ଫଳରେ ଟ୍ରକ୍ରେ ଥିବା ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଖବର ପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ଉଭୟ ମୃତକଙ୍କ ମୃତଦେହ ଜବତ କରି ମେଡିକାଲକୁ ପଠାଇଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ୍ଟି ଜାତୀୟ ରାଜପଥରେ ପଡ଼ି ରହିଥିବାରୁ ଯାତାୟାତ ଉପରେ ମଧ୍ୟ ପ୍ରଭାବ ପଡ଼ିଥିବା ସୂଚନା ମିଳିଛି। ଘଟଣାର ପ୍ରକୃତ କାରଣ ଏବଂ ମୃତକଙ୍କ ପରିଚୟ ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


