ଓଡ଼୍ରାଫ୍-ଅଗ୍ନିଶମର ମିଳିତ ଅପରେସନ୍: ବନ୍ୟା ଘେରରୁ ସୁରକ୍ଷିତ ଉଦ୍ଧାର ହେଲେ ସେବାଶ୍ରମର ୨୫୫ ଛାତ୍ରଛାତ୍ରୀ


ଭୁବନେଶ୍ବର: ହଠାତ୍ ମାଡ଼ିଆସିଲା ବ୍ରାହ୍ମଣୀ ନଦୀର ବନ୍ୟାଜଳ। ବନ୍ୟା ଘେରରେ ଫସିଗଲେ ସେବାଶ୍ରମ ବିଦ୍ୟାଳୟର ୨୫୫ ଜଣ କୋମଳମତି ଆବାସିକ ଛାତ୍ରଛାତ୍ରୀ। ନଦୀର ପ୍ରଖର ସ୍ରୋତ ଏବଂ ପର୍ଯ୍ୟାପ୍ତ ଡଙ୍ଗାର ଅଭାବ ଯୋଗୁଁ ପ୍ରଥମେ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟିଥିଲା, ଯାହା ପ୍ରଶାସନ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଥିଲା। ତେବେ ତିନି ଦିନ ପରେ ଜଳସ୍ତର କମିବାରୁ ଆଜି ଜିଲ୍ଲା ପ୍ରଶାସନ, ଓଡ଼୍ରାଫ୍ ଓ ଅଗ୍ନିଶମ ବାହିନୀର ମିଳିତ ଅଭିଯାନରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତର କୂଳସାହି ସେବାଶ୍ରମ ବିଦ୍ୟାଳୟର। ବ୍ରାହ୍ମଣୀ ନଦୀର ବନ୍ୟାଜଳ ଚାରିଆଡ଼େ ମାଡ଼ି ଆସିବାରୁ ବିଦ୍ୟାଳୟଟି ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇପଡ଼ିଥିଲା। ଗତ ଅଗଷ୍ଟ ୧୬ ତାରିଖରୁ ବନ୍ୟା ପରିସ୍ଥିତି ଜଟିଳ ହେବାରୁ କୋମଳମତି ଛାତ୍ରଛାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ବିଦ୍ୟାଳୟର ଉପର ମହଲାରେ ଆଶ୍ରୟ ନେଇଥିଲେ। ଜଳସ୍ତର ହ୍ରାସ ପାଇବା ପରେ ଓଡ଼୍ରାଫ୍ ଏବଂ ଅଗ୍ନିଶମ ବାହିନୀ ମିଳିତ ଭାବେ ସମସ୍ତ ୨୫୫ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଛନ୍ତି।



