
ଭୁବନେଶ୍ୱର,ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ, ପାଟନା ପୋଲିସ ଗିରଫ କରିଛି। ପରେ ତାଙ୍କୁ ସିଜେଏମ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଥିବା ବେଳେ, ତାଙ୍କୁ ପାଟନାର ବେଉର ଜେଲକୁ ପଠାଯାଇଛି।ବିହାରରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ, ଆନ୍ଦୋଳନ କରାଯାଉଥିବା ବେଳେ ‘ବିହାର ବନ୍ଦ’ ଡାକରା ଦିଆଯାଇଥିଲା। ଏହି ସମୟରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଥିଲେ। ପୋଲିସ ଉପରକୁ ଆନ୍ଦୋଳନକାରୀମାନେ ଟେକା ପଥର ଫିଙ୍ଗିବା ସହ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ଏହି ଘଟଣାକୁ ନେଇ ବିହାରରେ ରାଜନୈତିକ ଉତ୍ତେଜନା ବଢ଼ିଛି। ତେଜ ପ୍ରତାପଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ବିରୋଧୀ ଦଳ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ତେଜ ପ୍ରତାପଙ୍କ ଓକିଲ ଜଗନ୍ନାଥ ସିଂହ ପୋଲିସ କାର୍ଯ୍ୟାନୁଷ୍ଠାନକୁ, ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁସାରେ, ତେଜ ପ୍ରତାପଙ୍କୁ ଜୁଲାଇ ୨୫ ତାରିଖରେ, ଅଟକ ରଖାଯାଇଥିଲା, କିନ୍ତୁ ଏଫ୍ଆଇଆର୍ ଜୁଲାଇ ୨୬ ତାରିଖରେ ରୁଜୁ ହୋଇଛି। ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ପୋଲିସ ଏଫ୍ଆଇଆର୍ର କପି ଦେଇନଥିଲା।




