ରଥଯାତ୍ରାର ଏକ ପ୍ରମୁଖ ଓ ପବିତ୍ର ଅଧରପଣା ନୀତି

ଭୁବନେଶ୍ୱର ,ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥଯାତ୍ରାର ଏକ ପ୍ରମୁଖ ଓ ଅନ୍ତିମ ସେବା ହେଉଛି ପବିତ୍ର ଅଧରପଣା ନୀତି। ଯାହା ସୁନାବେଶର ପରଦିନ, ୩ ରଥ ଉପରେ ଅନୁଷ୍ଠିତ ହୋଇଥାଏ। ପଣା ପ୍ରସ୍ତୁତି ପାଇଁ ପାଣିଆ ଆପଟ ସେବକମାନେ, ସିଂହଦ୍ୱାର ନିକଟସ୍ଥ ଛାଉଣୀ ମଠ କୂପରୁ ସ୍ୱତନ୍ତ୍ର ଗରାରେ ପବିତ୍ର ଜଳ ବୋହି ଆଣନ୍ତି। ପୂଜାପଣ୍ଡା ସେବକମାନେ, ଶ୍ରୀବିଗ୍ରହମାନଙ୍କୁ ଭୋଗ ଲଗାଇବା ପରେ ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ଏହାପରେ ଆସନ୍ତାକାଲି ମହାପ୍ରଭୁଙ୍କର ଶେଷ ନୀତି ଭାବେ ନୀଳାଦ୍ରି ବିଜେ ଅନୁଷ୍ଠିତ ହେବ। ଯେଉଁଠି ଠାକୁରମାନେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିବେ। ତିନି ବାଡ଼ରେ ପ୍ରତି ରଥରେ, ୩ ହାଣ୍ଡି ହିସାବରେ,ସର୍ବମୋଟ ୯ ହାଣ୍ଡି ଅଧରପଣା, ଭୋଗ ଅର୍ପଣ କରାଯାଏ। ଏହି ସ୍ୱତନ୍ତ୍ର ପଣା ପ୍ରସ୍ତୁତି ପାଇଁ ୯ଟି ମୁଖ୍ୟ ସାମଗ୍ରୀ ବ୍ୟବହାର ହୁଏ। ଏଥିରେ କ୍ଷୀର, ସର, ଛେନା, ପାଚିଲା କଦଳୀ, ଶର୍କରା, ଗୋଲମରିଚ ଗୁଣ୍ଡ, ଜାଇଫଳ, କର୍ପୂର ଏବଂ ଜଳ ମିଶ୍ରଣ କରାଯାଇଥାଏ। ଏହି ପଣା ସାଧାରଣ ଭକ୍ତଙ୍କ ପାଇଁ ନୁହେଁ, ବରଂ ରଥର ପାର୍ଶ୍ୱ ଦେବାଦେବୀ ଓ ଅଶରୀରୀ ଆତ୍ମାମାନଙ୍କ ମୋକ୍ଷ ପାଇଁ, ଉଦ୍ଦିଷ୍ଟ ବୋଲି ବିଶ୍ୱାସ ରହିଛି।




