ଆନ୍ଦୋଳନ ଛାଡ଼ି ଆଲୋଚନାକୁ ଆସନ୍ତୁ ଡାକ୍ତର: ରୋଗୀ ସେବା ବ୍ୟାଘାତ ହେଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ସରକାର


ଭୁବନେଶ୍ୱର: ରାଜ୍ୟରେ ରୋଗୀ ସେବାକୁ ନିରବଚ୍ଛିନ୍ନ ଓ ସ୍ୱାଭାବିକ ରଖିବା ପାଇଁ ଓଡ଼ିଶା ସରକାର ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଧର୍ମଘଟ ପ୍ରତ୍ୟାହାର କରି କାର୍ଯ୍ୟରେ ଯୋଗଦେବା ସହ ସରକାରଙ୍କ ସହ ଆଲୋଚନାରେ ସାମିଲ ହେବାକୁ ଅନୁରୋଧ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓମ୍ସା ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଏହି ଆଲୋଚନା ଜାରି ରହିଥିଲା। ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ସହାନୁଭୂତିର ସହ ଗ୍ରହଣ କରି ସେମାନଙ୍କର କ୍ୟାଡର ରି-ଷ୍ଟ୍ରକଚରିଂ, ଡାଇନାମିକ ଆସିଓର୍ଡ କ୍ୟାରିୟର ପ୍ରୋଗ୍ରେସନ (DACP), ସ୍ପେଶାଲ ଇନସେଣ୍ଟିଭ୍ ଏବଂ ପ୍ଲେସ-ବେସଡ୍ ଇନସେଣ୍ଟିଭ୍ ଭଳି ବିଭିନ୍ନ ସୁବିଧା ସହ ଉଚ୍ଚଶିକ୍ଷା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଥିଲେ ହେଁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ପୁନର୍ବାର ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। “ସେବା ହିଁ ପରମ ଧର୍ମ” ଆଦର୍ଶକୁ ପାଥେୟ କରି ଡାକ୍ତରମାନେ ନିଜର ଆନ୍ଦୋଳନ ପ୍ରତ୍ୟାହାର ପୂର୍ବକ ରୋଗୀସେବା ଜାରି ରଖିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ତେବେ ଏହା ସତ୍ତ୍ୱେ ଯଦି ସ୍ୱାସ୍ଥ୍ୟ ସେବା ବ୍ୟାଘାତପ୍ରାପ୍ତ ହୁଏ ଏବଂ ରୋଗୀ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସରକାର ଆଇନଗତ ଭାବେ ଆବଶ୍ୟକୀୟ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସ୍ପଷ୍ଟ ଚେତାବନୀ ଦିଆଯାଇଛି।



