ଓଡ଼ିଶା

ଲୋକ ଭବନରେ ବିଶ୍ୱ ପରିବେଶ ଦିବସ: ରାଜ୍ୟପାଳ ଦେଲେ ‘ଇଚ୍ ୱାନ୍, ପ୍ଲାଣ୍ଟ୍ ୱାନ୍’ର ସ୍ଲୋଗାନ

ଭୁବନେଶ୍ୱର, ୦୫/୦୬/୨୦୨୬ : ବିଶ୍ୱ ପରିବେଶ ଦିବସ ଅବସରରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ରାଜ୍ୟର ମାନ୍ୟବର ପ୍ରଥମ ମହିଳା ଡ଼. ଜୟଶ୍ରୀ କମ୍ଭମପାଟି ଆଜି ଲୋକ ଭବନ ପରିସରସ୍ଥ ‘ଅଟଳ ବନ’ରେ ଚାରା ରୋପଣ କରିଛନ୍ତି। ଏହି ଅବସରରେ ଲୋକ ଭବନର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସାମିଲ ହୋଇ ପରିବେଶ ସଂରକ୍ଷଣ ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି।

ଚାରା ରୋପଣ କରିବା ଅବସରରେ ମାନ୍ୟବର ରାଜ୍ୟପାଳ କହିଛନ୍ତି ଯେ, ପରିବେଶ ସଂରକ୍ଷଣ କେବଳ କାହାର ବ୍ୟକ୍ତିଗତ କାର୍ଯ୍ୟ ନୁହେଁ, ବରଂ ଏହା ଆମ ସମସ୍ତଙ୍କର ଏକ ସାମୁହିକ ଦାୟିତ୍ୱ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ପ୍ରତ୍ୟେକ ନାଗରିକ ବୃକ୍ଷରୋପଣ କରି ନିଜର ଯୋଗଦାନ ରଖିବା ଉଚିତ। ପରିବେଶ ଦିବସ ସମଗ୍ର ପୃଥିବୀ ଓ ପ୍ରକୃତି ସମ୍ପର୍କରେ ଚିନ୍ତା କରିବାର ଏକ ଶ୍ରେଷ୍ଠ ଅବସର ଆଣିଦିଏ। ଏହାର ସୁରକ୍ଷା ପାଇଁ ଆମେ ସମସ୍ତେ ଚାରା ରୋପଣ କରି ଏକ ଛୋଟ କିନ୍ତୁ ଅତି ଅର୍ଥପୂର୍ଣ୍ଣ ପଦକ୍ଷେପ ନେଇପାରିବା।

ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ପରିବେଶ ଅଭିଯାନ ‘ଏକ ପେଡ଼ ମା କେ ନାମ’ ଆହ୍ୱାନ ଉପରେ ଗୁରୁତ୍ୱ ଦେଇ ରାଜ୍ୟପାଳ ଓଡ଼ିଶାର ପ୍ରତ୍ୟେକ ନାଗରିକଙ୍କୁ ଅତିକମରେ ଗୋଟିଏ ଲେଖାଏଁ ଚାରା ରୋପଣ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ଆଗାମୀ ଦିନରେ ‘ଇଚ୍ ୱାନ୍, ପ୍ଲାଣ୍ଟ୍ ୱାନ୍’ (ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଚାରା ରୋପଣ କରିବା) ସ୍ଲୋଗାନକୁ ସମସ୍ତେ ନିଜ ଜୀବନର ମୂଳ ଧେୟ ବା ଲକ୍ଷ୍ୟ କରିବା ଉଚିତ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଜୀବନରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ, ଗଛ ବାୟୁମଣ୍ଡଳକୁ ବିଶୁଦ୍ଧ କରିବା ସହ ଜୈବ ବିବିଧତା ସଂରକ୍ଷଣ କରେ ଏବଂ ସବୁଠାରୁ ବଡ଼ ସଙ୍କଟ ସାଜିଥିବା ଜଳବାୟୁ ପରିବର୍ତ୍ତନର ପ୍ରତିକାର କରିଥାଏ। ବ୍ୟକ୍ତି ଓ ସମାଜର ଏହି ଛୋଟ ଛୋଟ ପ୍ରୟାସ ହିଁ ଭବିଷ୍ୟତରେ ପରିବେଶ ଉପରେ ଏକ ବଡ଼ ସକାରାତ୍ମକ ପ୍ରଭାବ ପକାଇପାରିବ। ବିଶେଷ କରି ରାଜ୍ୟର ଯୁବପିଢ଼ିକୁ ପରିବେଶ ସଂରକ୍ଷଣରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ସହ ଏକ ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଢି ତୋଳିବା ପାଇଁ ସକ୍ରିୟ ଭାବେ ଆଗେଇ ଆସିବାକୁ ରାଜ୍ୟପାଳ ନିବେଦନ କରିଛନ୍ତି।

Related Articles

Back to top button