ଭାରତକୁ ପୁଟିନଙ୍କ ଖୋଲା ସମର୍ଥନ: ପିଏମ ମୋଦୀଙ୍କୁ ପ୍ରଶଂସା ସହ ଟ୍ରମ୍ପଙ୍କୁ କଡ଼ା ଚେତାବନୀ

ମସ୍କୋ, ୦୫/୦୬/୨୦୨୬: ଋଷିଆ ଭାରତକୁ ସର୍ବସମ୍ମୁଖରେ ଖୋଲାଖୋଲି ଭାବେ ସମର୍ଥନ କରିଛି। ଭାରତର ସ୍ୱାଧୀନ ବୈଦେଶିକ ନୀତି ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀକୁ ଭୂୟସୀ ପ୍ରଶଂସା କରିବା ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ। ସେ ଭାରତକୁ ଏକ ସାର୍ୱଭୌମ ଦେଶ, ନିଜର ସବୁଠାରୁ ବୁଦ୍ଧିମାନ ବନ୍ଧୁ ଏବଂ ଏକ ବିଶ୍ୱାସଯୋଗ୍ୟ ସହଯୋଗୀ ବୋଲି ଅଭିହିତ କରିଛନ୍ତି। ପୁଟିନ କହିଛନ୍ତି ଯେ ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ପ୍ରମୁଖ ତଥା ଅଗ୍ରଣୀ ଅର୍ଥନୀତି ମଧ୍ୟରେ ଗଣାଯାଉଛି ଏବଂ ଋଷ ସହିତ ଏହାର ସମ୍ପର୍କ ଅତ୍ୟନ୍ତ ସୁଦୃଢ଼ ରହିଛି।
ପାଶ୍ଚାତ୍ୟ ଦେଶ, ବିଶେଷ କରି ଆମେରିକା, ଋଷିଆ ଏବଂ ଭାରତର ବନ୍ଧୁତ୍ୱପୂର୍ଣ୍ଣ ସହଯୋଗ ଉପରେ ଚାପ ସୃଷ୍ଟି କରିବାକୁ ଅହରହ ଚେଷ୍ଟା କରୁଛି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ପକାଇବା ସମ୍ପୂର୍ଣ୍ଣ ବେକାର ବୋଲି ପୁଟିନ ସ୍ପଷ୍ଟ କରିଛନ୍ତି। ଆମେରିକା ଦ୍ୱାରା ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଚାପ ପକାଇବା ଚେଷ୍ଟା ନିଜେ ଆମେରିକା ପାଇଁ ହିଁ କ୍ଷତିକାରକ ସାବ୍ୟସ୍ତ ହେବ। ଭାରତ ଏବଂ ଋଷିଆର ଦ୍ୱିପାକ୍ଷିକ ସମ୍ପର୍କ ସମ୍ପୂର୍ଣ୍ଣ ଭାବେ ବିଶ୍ୱାସର ଭିତ୍ତିଭୂମି ଉପରେ ଠିଆ ହୋଇଛି, ତେଣୁ କୌଣସି ବାହ୍ୟ ଚାପ କିମ୍ବା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଖରାପ କରିପାରିବେ ନାହିଁ।
ଋଷିଆ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ଗୁରୁବାର ଦିନ ସେଣ୍ଟ ପିଟର୍ସବର୍ଗରେ ବିଶ୍ୱର ବଡ଼ ବଡ଼ ସମ୍ୱାଦ ସରବରାହ ସଂସ୍ଥା (ନ୍ୟୁଜ ଏଜେନ୍ସି) ର ମୁଖ୍ୟମାନଙ୍କ ସହ ଏକ ବିଶେଷ ବୈଠକ କରିଥିଲେ। ଏହି ବୈଠକରେ ସେ ଭାରତ, ଆମେରିକା ଏବଂ ପାକିସ୍ତାନକୁ ନେଇ ନିଜର ଗୁରୁତ୍ୱପୂର୍ଣ୍ଣ ମତାମତ ବ୍ୟକ୍ତ କରିଥିଲେ। ସେ ସ୍ପଷ୍ଟ କରିଛନ୍ତି ଯେ ଯଦି ଅନ୍ୟ ଦେଶଗୁଡ଼ିକ ସହିତ ଭାରତର ସହଯୋଗ ବଢ଼ୁଛି, ତେବେ ଏହା ଦ୍ୱାରା ଋଷ ସହିତ ଥିବା ଦ୍ୱିପାକ୍ଷିକ ସମ୍ପର୍କ ପ୍ରତି କୌଣସି ବିପଦ ନାହିଁ। ଅଶୋଧିତ ତୈଳ (କ୍ରୁଡ ଅଏଲ) କୁ ନେଇ ଆମେରିକା ଭାରତ ଉପରେ ଚାପ ପକାଇଥିଲେ ମଧ୍ୟ ଏହା ଦ୍ୱାରା ଭାରତ-ଋଷ ସମ୍ପର୍କ ପ୍ରଭାବିତ ହେବ ନାହିଁ।
ପୁଟିନ କହିଛନ୍ତି ଯେ ଭାରତ ଓ ନରେନ୍ଦ୍ର ମୋଦିଙ୍କ ଉପରେ ଚାପ ପକାଇବା ଆମେରିକାର ଆନ୍ତର୍ଜାତୀୟ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ କ୍ଷତିକାରକ ହୋଇପାରେ। ଋଷିଆ ଏବଂ ଭାରତର ସମ୍ପର୍କ କ୍ରମାଗତ ଭାବେ ବିକଶିତ ହେଉଛି ଏବଂ ଆଗକୁ ମଧ୍ୟ ଏହା ଆହୁରି ସୁଦୃଢ଼ ହେବ। କେବଳ ଅଶୋଧିତ ତୈଳ କିଣିବା ମଧ୍ୟରେ ଦୁଇ ଦେଶର ସମ୍ପର୍କ ସୀମିତ ନୁହେଁ। ଆସନ୍ତା କିଛି ବର୍ଷ ମଧ୍ୟରେ ଦୁଇ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ (୧୦ ହଜାର କୋଟି) ଡଲାରରେ ପହଞ୍ଚିପାରେ। ଭାରତ ସର୍ୱଦା ବାହ୍ୟ ଚାପକୁ ଏଡ଼ାଇ ନିଜର ଜାତୀୟ ସ୍ୱାର୍ଥକୁ ସର୍ବୋପରି ମନେକରି କାର୍ଯ୍ୟ କରିଥାଏ ବୋଲି ପୁଟିନ ପ୍ରକାଶ କରିଛନ୍ତି।




