
ଭୁବନେଶ୍ୱର ,ଆଗକୁ ଗ୍ରୀଷ୍ମଋତୁ ପରେ ଜିଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ୧୮ତମ ପାଳିରେ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ପ୍ରକୋଷ୍ଠରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ଆସି ବାହାରେ ଅପେକ୍ଷା କରିଥିବା ୩୦ଜଣ ଦିବ୍ୟାଙ୍ଗ ଓ ଦୁରାରୋଗରେ ପୀଡ଼ିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣିଥିଲେ। ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ତୁରନ୍ତ ପଦକ୍ଷେପ ନେବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ, ନିର୍ଦେଶ ଦେଇଥିଲେ। ଏହାପରେ ପ୍ରକୋଷ୍ଠ ଭିତରେ ଲୋକଙ୍କ, ଅଭିଯୋଗ ଶୁଣିଥିଲେ। ସେହିପରି ବିଭିନ୍ନ ରୋଗରେ ପୀଡ଼ିତ ପ୍ରାୟ ୧୩ ଜଣ ଅଭିଯୋଗକାରୀଙ୍କ, ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ ଜରିଆରେ ୩.୬୦ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ରାଶି ମଞ୍ଜୁର କରିଛନ୍ତି।ସୋମବାର ଉଭୟ ଅନ୍ଲାଇନ ଓ ଅଫ୍ଲାଇନ ଜରିଆରେ, ୬୦୦ରୁ ଊର୍ଦ୍ଧ୍ବ ଅଭିଯୋଗ ପତ୍ର ଗ୍ରହଣ କରାଯାଇଛି।
ଗତ ୧୭ ପାଳି ସୁଦ୍ଧା ଅଭିଯୋଗ ପ୍ରକୋଷ୍ଠରେ ପ୍ରତ୍ୟକ୍ଷ ଭାବେ ଆସିଥିବା ୧୪,୬୫୧ଟି ଅଭିଯୋଗ ମଧ୍ୟରୁ ୧୪,୦୪୬ ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ଏହି ଜନାଭିମୁଖୀ କାର୍ଯ୍ୟକ୍ରମ ଯୋଗୁଁଁ ସାଧାରଣ ଲୋକଟିଏ, ତା’ର ସମସ୍ୟା ଓ ଅଭିଯୋଗକୁ ସିଧାସଳଖ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛି।



