
ଭୁବନେଶ୍ୱର ,ଆଜି ପଶ୍ଚିମ ଓଡ଼ିଶାର ୬ଟି ସହରରେ ପାରଦ ୪୫ ଡେଇଁଥିଲା ବେଳେ ୪୫.୮ ଡିଗ୍ରୀ ସହ ଟିଟିଲାଗଡ଼ ପାଲଟଛି ସବୁଠୁ ଉତପ୍ତ ସ୍ଥାନ। ଫଳରେ ପଶ୍ଚିମରେ ଜନଜୀବନ, ତ୍ରାହି ତ୍ରାହି ଡାକୁଥିବା ବେଳେ ଉପକୂଳ ଓ ପୂର୍ବ ଓଡ଼ିଶାରେ, ଗରମ ଯେତିକି ତାଠୁ ଅଧିକ ହିଟ୍ ଇଣ୍ଡେକ୍ସ, କଲବଲ କରୁଛି। ଦେଶର ଅନ୍ୟତମ ହିଟ୍ ଚାମ୍ବର ପାଲଟିଥିବା ଓଡ଼ିଶାକୁ, ଆସନ୍ତା ୨୮ ଯାଏଁ ତାତିରୁ ନିସ୍ତାର ନାହିଁ ବୋଲି ଚେତେଇ ଦେଇଛି, ପାଣିପାଗ ବିଭାଗ।ପୁରା ପଶ୍ଚିମ ଓଡ଼ିଶା ପାଲଟିଛି ହିଟୱେଭ୍, ହଟସ୍ପଟ। ବାହାରେ ଅସହ୍ୟ ତାତି, ଭିତରେ ଅସମ୍ଭବ ଗୁଳୁଗୁଳି। ପଦାକୁ ବାହାରିଲେ, ଦେହରେ ନିଆଁ। ଆଉ ନବାହାରିଲେ ଭିତରେ, ଅଣନିଶ୍ବାସୀ ସ୍ଥିତି। ଗତ ୫ ଦିନ ଧରି ପଶ୍ଚିମ ଓଡ଼ିଶାର, କୌଣସି ସହରରେ ପାରଦ ୪୦ ଡିଗ୍ରୀ ତଳକୁ ଖସୁନି। ହିଟୱେଭ୍ ହଟ୍ ଜୋନ୍ ପାଲଟିଛି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼ ଓ ଟିଟିଲାଗଡ଼। ଏସବୁ ଜିଲ୍ଲାର କିଛି ସହରରେ, ପାରଦ ଛୁଇଁଛି ୪୫ ଡିଗ୍ରୀ।




