ଓଡ଼ିଶା

ବ୍ରଜରାଜନଗରରେ ବିକାଶର ନୂଆ ଅଧ୍ୟାୟ: ୨୬ କୋଟିରୁ ଉର୍ଦ୍ଧ୍ୱ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର /ବ୍ରଜରାଜନଗର (ଝାରସୁଗୁଡ଼ା), ୨୧/୦୫/୨୦୨୬: ବ୍ରଜରାଜନଗର ପୌରପରିଷଦ ଅଞ୍ଚଳର ସର୍ବାଙ୍ଗୀନ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ମାନ୍ୟବର ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦ୍ୱାରା ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରତିଟି ବର୍ଗର କଲ୍ୟାଣ ଏବଂ ଏକ ‘ବିକଶିତ ବ୍ରଜରାଜନଗର’ ଗଠନ କରିବା ଆମ ସରକାରଙ୍କର ମୁଖ୍ୟ ସଂକଳ୍ପ। ଆଜିର ଏହି ପ୍ରକଳ୍ପଗୁଡ଼ିକ ସହରର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି କରିବ।

ଉଦ୍‌ଘାଟିତ ହୋଇଥିବା ପ୍ରମୁଖ ପ୍ରକଳ୍ପ: କାର୍ଯ୍ୟକ୍ରମରେ ୨.୭۷ କୋଟି ଟଙ୍କା ବ୍ୟୟରେ ନିର୍ମିତ ୧୨ ଗୋଟି ପ୍ରକଳ୍ପର ଉଦ୍‌ଘାଟନ କରାଯାଇ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏଥିମଧ୍ୟରେ ଅନ୍ତର୍ଭୁକ୍ତ ରହିଛି:

  • ଗୋଆଲ ଚୌକଠାରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଡ୍ରାମା ପେଣ୍ଡାଲ୍।

  • ଇକୋ ପାର୍କରେ ୧୮ ଲକ୍ଷ ଟଙ୍କାର ଯୋଗ ପିଣ୍ଡି।

  • ୧୭ ଲକ୍ଷ ଟଙ୍କା ବ୍ୟୟରେ ଶହୀଦ ସ୍ମୃତି ରକ୍ଷା ଓ ମଧୁସୂଦନ ଚୌକର ନବୀକରଣ।

  • ୨୦୬ ଲକ୍ଷ (୨.୦୬ କୋଟି) ଟଙ୍କା ବ୍ୟୟରେ ୫ଟି ଅତିରିକ୍ତ ଶ୍ରେଣୀ ଗୃହ ସହ ସ୍କୁଲ ବିଲ୍ଡିଂ ନିର୍ମାଣ।

  • ସାଂସଦ ପାଣ୍ଠିରୁ ଲାମଟିବାହାଲଠାରେ କମ୍ୟୁନିଟି ସେଣ୍ଟର (ଦୁର୍ଗା ମଣ୍ଡପ) ପାଇଁ ୬.୭୫ ଲକ୍ଷ ଏବଂ ପାୱାର ହାଉସ ପଡ଼ାଠାରେ କମ୍ୟୁନିଟି ସେଣ୍ଟର ପାଇଁ ୫ ଲକ୍ଷ ଟଙ୍କାର ବିନିଯୋଗ।

ଶିଳାନ୍ୟାସ ହୋଇଥିବା ବୃହତ ପ୍ରକଳ୍ପ: ସହରର ଆଧୁନିକୀକରଣ ପାଇଁ ମୋଟ ୨୩.୪୮ କୋଟି ଟଙ୍କା ବିନିମୟରେ ୮୨ ଗୋଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥିମଧ୍ୟରେ ରହିଛି:

  • ଜି.ଏମ. କମ୍ପ୍ଲେକ୍ସ ନିକଟରେ ୩.୬ କୋଟି ଟଙ୍କାର ଆଧୁନିକ ଆମିଷ ବଜାର।

  • ମହିଳା ମହାବିଦ୍ୟାଳୟ ନିକଟରେ ୩.୪୨ କୋଟି ଟଙ୍କାର ସ୍ୱତନ୍ତ୍ର ପାଠାଗାର।

  • ଲାମଟିବାହାଲଠାରେ ୨.୧ କୋଟି ଟଙ୍କାର କଲ୍ୟାଣ ମଣ୍ଡପ।

  • ଟନେଲ ରୋଡ୍ ନିକଟରେ ୧.୨ କୋଟି ଟଙ୍କା ବ୍ୟୟରେ ଏକ ସପିଂ କମ୍ପ୍ଲେକ୍ସ।

  • ଜାତୀୟ ରାଜପଥ କଡ଼ରେ ଦିନରାତି ଯାତାୟାତ କରୁଥିବା ଗାଡ଼ି ଚାଳକମାନଙ୍କ ସୁରକ୍ଷା ଓ ବିଶ୍ରାମ ପାଇଁ ଏକ ଅତ୍ୟାଧୁନିକ ଆଶ୍ରୟସ୍ଥଳୀ।

ତେଲେନପାଲି ଅଞ୍ଚଳର ବିକାଶ ଓ ଭବିଷ୍ୟତ ଯୋଜନା: ଏହି ଅବସରରେ ତେଲେନପାଲି ଅଞ୍ଚଳର ଉନ୍ନତିକରଣ ଉପରେ ସ୍ୱତନ୍ତ୍ର ଫୋକସ୍ କରାଯାଇଛି। LBYS କ୍ଲବରେ ୫୦ ଲକ୍ଷ ଟଙ୍କାର ସେଡ୍ ନିର୍ମାଣ ଓ ଭଗତପଡ଼ାଠାରେ ୬୦ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ ସହ DMF ପାଣ୍ଠିରୁ ମଞ୍ଜୁର ହୋଇଥିବା ୧ କୋଟି ଟଙ୍କା ବ୍ୟୟରେ ତେଲେନପାଲି ସାହୁପଡ଼ା ପଡ଼ିଆର ଉନ୍ନତିକରଣ ଏବଂ ୬୦ ଲକ୍ଷ ଟଙ୍କା ବ୍ୟୟରେ ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ ହୋଇଛି। ଏଥିସହିତ ଆଗାମୀ ଆର୍ଥିକ ବର୍ଷ ୨୦2୬-୨୭ ପାଇଁ ବ୍ରଜରାଜନଗର ପୌରପାଳିକା ପକ୍ଷରୁ ପ୍ରାୟ ୩୬ କୋଟି ଟଙ୍କାର ଏକ ଭବିଷ୍ୟତ କାର୍ଯ୍ୟଯୋଜନା (Action Plan) ପ୍ରସ୍ତୁତ କରାଯାଇଛି।

ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱ ରଞ୍ଜନ ନାୟକ, କ୍ରିଷ୍ଣା ଗୋପାଲ ସିତାନୀ ଏବଂ ବ୍ରଜରାଜନଗର ପୌରପରିଷଦର କାର୍ଯ୍ଯନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ

Related Articles

Back to top button