୨ ଯୁଦ୍ଧବିମାନ ମଧ୍ୟରେ ଭୟଙ୍କର ଧକ୍କା; ଅଳ୍ପକେ ବର୍ତ୍ତିଲେ ୪ କ୍ରୁ ସଦସ୍ୟ


ନୂଆଦିଲ୍ଲୀ: ଆମେରିକାରେ ଏକ ଏୟାର ସୋ ଚାଲିଥିବା ସମୟରେ ମଝି ଆକାଶରେ ନୌସେନାର ଦୁଇଟି ଅତ୍ୟାଧୁନିକ ଯୁଦ୍ଧବିମାନ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ହଜାର ହଜାର ଦର୍ଶକ ଆକାଶରେ ଯୁଦ୍ଧବିମାନର ରୋମାଞ୍ଚକର କଳାକୌଶଳ ଦେଖୁଥିବା ବେଳେ ହଠାତ୍ ଏହି ଦୁର୍ଘଟଣା ଘଟିଥିଲା। ଏହାକୁ ଦେଖି କାର୍ଯ୍ୟକ୍ରମ ସ୍ଥଳରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ଦୌଡ଼ାଦୌଡ଼ି ପରିସ୍ଥିତି ଉପୁଜିଥିଲା। ରିପୋର୍ଟ ଅନୁଯାୟୀ, ଆଇଡାହୋର ବୋଇସ ସହର ଦକ୍ଷିଣ-ପୂର୍ବରେ ଥିବା ‘ମାଉଣ୍ଟେନ ହୋମ ଏୟାର ଫୋର୍ସ ବେସ’ରେ ଆୟୋଜିତ ‘ଗନଫାଇଟର ସ୍କାଏଜ ଏୟାର ସୋ’ ସମୟରେ ଏହି ଅଘଟଣ ଘଟିଛି। ଆମେରିକୀୟ ନୌସେନାର ବୋଇଂ ଏଫ୍/ଏ-୧୮ଇ/ଏଫ୍ (F/A-18E/F) ସୁପର ହର୍ନେଟ ଏବଂ ବୋଇଂ ଇଏ-୧୮ଜି (EA-18G) ଗ୍ରୋୱଲର ଯୁଦ୍ଧବିମାନ ମଧ୍ୟରେ ଏହି ମୁହାଁମୁହିଁ ଧକ୍କା ହୋଇଥିଲା। ତେବେ ସବୁଠାରୁ ଆଶ୍ୱସ୍ତିର କଥା ହେଉଛି, ଏହି ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ବିମାନରେ ଥିବା ୪ ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବାହାରକୁ ବାହାରିବାରେ ସଫଳ ହୋଇଛନ୍ତି। ବିମାନଗୁଡ଼ିକ ଭୂମିରେ ମାଡ଼ ହେବା ପୂର୍ବରୁ ଆକାଶରୁ ଚାରୋଟି ପାରାଚୁଟ୍ ତଳକୁ ଖସୁଥିବା ଦେଖାଯାଇଥିଲା।




