
ଭୁବନେଶ୍ୱର, ୧୩/୦୪/୨୦୨୬: ମନ୍ଦିରମାଳିନୀ ସହର ଭୁବନେଶ୍ୱରର ୭୮ତମ ପ୍ରତିଷ୍ଠା ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଗୌରବମୟ ଅବସରରେ ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜଧାନୀର ଶ୍ରୀବୃଦ୍ଧି ଓ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଆହ୍ୱାନ ଦେଇଛନ୍ତି।
ଉତ୍ସବ ପ୍ରାରମ୍ଭରେ ଅତିଥିମାନେ ବିଧାନ ସୌଧ ସମ୍ମୁଖରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାଚସ୍ପତି ଶ୍ରୀମତୀ ପାଢ଼ୀ ପତାକା ଉତ୍ତୋଳନ କରିବା ସହ ବେସାମରିକ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଧାନସଭା ସଭ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ, ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, ପୋଲିସ କମିଶନର ଶ୍ରୀ ଏସ୍. ଦେବଦତ୍ତ ସିଂହ ଏବଂ ବିଏମ୍ସି କମିଶନର ଶ୍ରୀ ଚଞ୍ଚଲ ରାଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ।
ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ଭବ୍ୟ ମଶାଲ ଶୋଭାଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲା। ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ସମେତ ବହୁ କ୍ରୀଡ଼ାବିତଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ସହରବାସୀଙ୍କ ମଧ୍ୟରେ ଉତ୍ସାହ ଭରିଥିଲା। ଚଳିତ ବର୍ଷ ପ୍ୟାରେଡ୍ରେ ମୋଟ ୫୧ଟି ଦଳ ଭାଗ ନେଇଥିଲେ। ମହାବିଦ୍ୟାଳୟ ସ୍ତରରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ହାଇସ୍କୁଲ ସ୍ତରରେ ଡିଏଭି ୟୁନିଟ୍-୮ (ଇଂରାଜୀ ମିଡିୟମ୍) ଏବଂ ଆଇଆରସି ଭିଲେଜ୍ ସରକାରୀ ଉଚ୍ଚ ବିଦ୍ୟାଳୟ (ଓଡ଼ିଆ ମିଡିୟମ୍) ଶ୍ରେଷ୍ଠ ବିବେଚିତ ହୋଇଥିଲେ।
ରାଜଧାନୀର ସ୍ମୃତିକୁ ସାଇତି ରଖିବା ପାଇଁ ଜୟଦେବ ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ୧୯୪୮ ମସିହାରୁ ଆଜି ପର୍ଯ୍ୟନ୍ତ ଭୁବନେଶ୍ୱରର କଳା, ସଂସ୍କୃତି, ରାଜନୈତିକ ଇତିହାସ ଏବଂ ସ୍ମାର୍ଟ ସିଟି ହେବା ପର୍ଯ୍ୟନ୍ତର କ୍ରମବିବର୍ତ୍ତନକୁ ଏଠାରେ ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି। ବାଚସ୍ପତି ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ।
୧୯୪୮ ଏପ୍ରିଲ ୧୩ରେ ପ୍ରତିଷ୍ଠିତ ଏହି ସହର ମାତ୍ର ୪୦ ହଜାର ଜନସଂଖ୍ୟା ପାଇଁ ପରିକଳ୍ପନା କରାଯାଇଥିବା ବେଳେ ଆଜି ଏଠାରେ ୧୫ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି। ରାଜଧାନୀର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାକୁ ସ୍ୱଚ୍ଛ, ସବୁଜ ଓ ପ୍ରଦୂଷଣମୁକ୍ତ କରି ଗଢ଼ିତୋଳିବାକୁ ମେୟର ଶ୍ରୀମତୀ ସୁଲୋଚନା ଦାସ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ବିଏମସି କମିଶନର ଶ୍ରୀ ଚଞ୍ଚଳ ରାଣା ଧନ୍ୟବାଦ ଅର୍ପଣ କରିବା ସହ ରାଜଧାନୀବାସୀଙ୍କ ସହଯୋଗରେ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।




