ଅବକାରୀ ବିଭାଗରେ ୩.୬୭ କୋଟିର ହେରଫେର: ୨ କର୍ମଚାରୀ ଗିରଫ


ଭୁବନେଶ୍ବର: ସମ୍ବଲପୁର ଅବକାରୀ ବିଭାଗରେ ହୋଇଥିବା ବଡ଼ ଧରଣର ଆର୍ଥିକ ଅନିୟମିତତାର ପର୍ଦ୍ଦାଫାଶ କରିଛି ପୋଲିସ। ପ୍ରାୟ ୩.୬୭ କୋଟି ଟଙ୍କାର ହେରଫେର ଅଭିଯୋଗରେ ଅଇଁଠାପାଲି ପୋଲିସ ବିଭାଗର ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅବକାରୀ ବିଭାଗର ଜୁନିୟର ଆସିସଷ୍ଟାଣ୍ଟ ସନ୍ଦୀପ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ଏଏସଆଇ ଶରତ ଚନ୍ଦ୍ର ବେହେରା। ଆଜି ଏସପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ମୁକେଶ ଭାମୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅବକାରୀ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଚ୍ୟୁତ ଦେହୁରୀଙ୍କ ଆକାଉଣ୍ଟକୁ ନଭେମ୍ବର ୨୦୨୨ରୁ ଅକ୍ଟୋବର ୨୦୨୫ ମଧ୍ୟରେ IFMS ପୋର୍ଟାଲ ଜରିଆରେ ପେନସନ ଓ ଏରିଅର ବାବଦରେ ୩.୬୭ କୋଟି ଟଙ୍କା ପଠାଯାଇଥିଲା। ତେବେ ଅଡିଟ୍ ସମୟରେ ଜଣାପଡ଼ିଥିଲା ଯେ, ସେହି କର୍ମଚାରୀଙ୍କର ପ୍ରକୃତରେ ଏତେ ପରିମାଣର ପ୍ରାପ୍ୟ ନଥିଲା। ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଏହି ଅର୍ଥ ହେରଫେର କରିଥିଲେ। ଏହି ଅନିୟମିତତା ସମ୍ପର୍କରେ ଜଣାପଡ଼ିବା ପରେ ଗତ ୦୯-୦୩-୨୦୨୬ରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଅଶୋକ ସେଠ୍ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୋଲିସ ତଦନ୍ତ କରି ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିବା ସହ ସନ୍ଦୀପ ପଟ୍ଟନାୟକଙ୍କ ଠାରୁ ନଗଦ ୨୩,୪୬,୫୦୦ ଟଙ୍କା ଜବତ କରିଛି।




