କ୍ରୀଡ଼ା

ଭାଗ୍ୟ ଦେଲାନି ପନ୍ତଙ୍କ ସାଥ୍‌: ପଡ଼ିଆ ମଝିରେ ଅଧିନାୟକଙ୍କୁ ‘ଟ୍ୟୁସନ’ କଲେ ମାଲିକ ସଞ୍ଜୀବ ଗୋଏଙ୍କା

ଲକ୍ଷ୍ନୌ, ୦୩/୦୪/୨୦୨୬: କ୍ରିକେଟ୍ ଅନିଶ୍ଚିତତାର ଖେଳ ବୋଲି କୁହାଯାଉଥିବା ବେଳେ ଆଇପିଏଲ୍ ୨୦୨୬ର ଏକ ମୁକାବିଲାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ଲକ୍ଷ୍ନୌର ନୂଆ ଅଧିନାୟକ ରିଷଭ ପନ୍ତ  ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍‌ର ଶିକାର ହୋଇଛନ୍ତି। ମ୍ୟାଚର ମାତ୍ର ୩ୟ ଓଭରରେ ମିଚେଲ ମାର୍ଶଙ୍କ ଏକ ଶକ୍ତ ଷ୍ଟ୍ରେଟ୍ ଡ୍ରାଇଭ୍ ବୋଲର ମୁକେଶ କୁମାରଙ୍କ ହାତରେ ବାଜି ନନ୍-ଷ୍ଟ୍ରାଇକର ଏଣ୍ଡରେ ଥିବା ଷ୍ଟମ୍ପକୁ ଉଡ଼ାଇ ଦେଇଥିଲା, ଯେଉଁ ସମୟରେ ପନ୍ତ କ୍ରିଜ୍ ବାହାରେ ଥିଲେ। ଏହି ଅଜବ ଆଉଟ୍ ପରେ ଲକ୍ଷ୍ନୌର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା ଏବଂ ଏଡେନ ମାର୍କରମ, ଆୟୁଷ ବଦୋନୀ ଓ ନିକୋଲାସ ପୂରନଙ୍କ ଭଳି ଷ୍ଟାର ବ୍ୟାଟରମାନେ ବିଫଳ ହେବାରୁ ଦଳ ୬ ଉଇକେଟ୍‌ରେ ମ୍ୟାଚ୍ ହାରି ଯାଇଥିଲା।

ତେବେ ମ୍ୟାଚ୍ ଶେଷ ହେବା ପରେ ଷ୍ଟାଡିୟମରେ ଯାହା ଘଟିଲା, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ପରାଜୟରେ ଅତ୍ୟଧିକ କ୍ଷୁବ୍ଧ ହୋଇ ମାଲିକ ସଞ୍ଜୀବ ଗୋଏଙ୍କା ଡ୍ରେସିଂ ରୁମ୍ ପରିବର୍ତ୍ତେ ପଡ଼ିଆ ମଝିରେ ହିଁ ଅଧିନାୟକ ରିଷଭ ପନ୍ତ ଏବଂ କୋଚ୍ ଜଷ୍ଟିନ୍ ଲଙ୍ଗରଙ୍କ କ୍ଲାସ ନେଉଥିବା ଦେଖାଯାଇଥିଲା। ଗୋଏଙ୍କାଙ୍କ ମୁହଁରେ ଥିବା ଅସନ୍ତୋଷ ଏବଂ ପନ୍ତଙ୍କ ନତମସ୍ତକ ଚେହେରା ସ୍ପଷ୍ଟ କରୁଥିଲା ଯେ, ଦଳର ଏଭଳି ଆତ୍ମସମର୍ପଣକୁ ମ୍ୟାନେଜମେଣ୍ଟ ସହଜରେ ଗ୍ରହଣ କରିପାରୁନାହିଁ। ପଡ଼ିଆ ମଝିରେ ମାଲିକଙ୍କ ଏହି “ଟ୍ୟୁସନ” ଦୃଶ୍ୟ କ୍ରିକେଟ୍ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି।

ଆଇପିଏଲ୍ ୨୦୨୬ର ଆରମ୍ଭରୁ ହିଁ ଏହି ପରାଜୟ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଏକ ବଡ଼ ଚେତାବନୀ ସାଜିଛି। ଦଳର ରଣନୀତି ଏବଂ ବ୍ୟାଟିଂ କ୍ରମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ମାଲିକଙ୍କ ଏଭଳି ପ୍ରତିକ୍ରିୟା ଖେଳାଳିଙ୍କ ଉପରେ ଚାପ ପକାଇପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ମତ ଦେଉଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ଦଳ କିଭଳି କମବ୍ୟାକ୍ କରୁଛି ଏବଂ ପନ୍ତଙ୍କ ନେତୃତ୍ୱରେ କି ପରିବର୍ତ୍ତନ ଆସୁଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ। ଦଳର ଏହି ଆତ୍ମସମର୍ପଣ ପରେ ଆଗାମୀ ମୁକାବିଲାଗୁଡ଼ିକ ଲକ୍ଷ୍ନୌ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।

Related Articles

Back to top button