ଓଡ଼ିଆ ପକ୍ଷ ଅବସରରେ “ଆମ ପୋଷାକ ଆମ ପରିଚୟ” ଅଭିଯାନ: ପାରମ୍ପରିକ ବସ୍ତ୍ର ପରିଧାନ ପାଇଁ ରାଜ୍ୟ ସରକାରଙ୍କ ନିବେଦନ

ଭୁବନେଶ୍ୱର, ୦୧/୦୪/୨୦୨୬: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜିଠାରୁ ସାରା ରାଜ୍ୟରେ “ଓଡ଼ିଆ ପକ୍ଷ” ପାଳନ ଆରମ୍ଭ ହୋଇଛି। ଏହି ଅବସରରେ ଏପ୍ରିଲ ୨ ଏବଂ ୩ ତାରିଖକୁ “ଆମ ପୋଷାକ ଆମ ପରିଚୟ” – ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବେ ପାଳନ କରିବାକୁ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ସାଧାରଣ ନାଗରିକମାନଙ୍କୁ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର ପରିଧାନ କରିବାକୁ ପ୍ରୋତ୍ସାହିତ କରାଯାଇଛି। ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ପରିଧାନ କରି ଏହାର ସ୍ୱଚିତ୍ର ବା ସେଲ୍ଫି ଓଡ଼ିଆ ପକ୍ଷ ୱେବସାଇଟ୍ (Odiapakhya.com) ରେ ଅପଲୋଡ୍ କରି ଏହି ଅଭିଯାନରେ ସାମିଲ ହେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।
ଏହି ସାଂସ୍କୃତିକ ଅଭିଯାନକୁ ସଫଳ କରିବା ପାଇଁ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ବୟନିକା , ଉତ୍କଳିକା , ରେଶମ ଓଡ଼ିଶା ଏବଂ ସମ୍ବଲପୁରୀ ବସ୍ତ୍ରାଳୟର ସମସ୍ତ ଶାଖାରେ ହସ୍ତତନ୍ତ ବସ୍ତ୍ର କ୍ରୟ ଉପରେ ଶତକଡ଼ା ୨୦+୧୦ ଭାଗ ସ୍ୱତନ୍ତ୍ର ରିହାତି ପ୍ରଦାନ କରାଯାଉଛି। ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ବିବିଧତା ଓ ଐତିହ୍ୟର ପ୍ରତୀକ ଭାବେ ପାରମ୍ପରିକ ପୋଷାକକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଯୁବପିଢ଼ିଙ୍କୁ ନିଜ ପରମ୍ପରା ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ସେହିପରି ଆଗାମୀ ଏପ୍ରିଲ ୪ ତାରିଖ ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ର ଆୟୋଜନ କରାଯିବ।
ଏଥିସହିତ ଓଡ଼ିଆ ଭାଷାର ପ୍ରସାର ପାଇଁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସେହି ଦିନ “ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ” ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ, ଓଡ଼ିଆ ସଂସ୍କୃତିକୁ ବିଶ୍ୱବିଦିତ କରିବା ପାଇଁ ବ୍ଲକ ସ୍ତରରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ଓଡ଼ିଆ ପକ୍ଷ ପାଳନ କରାଯାଉଛି। ପ୍ରତ୍ୟେକ ଦିନ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି, ଯାହା ରାଜ୍ୟର ସାଂସ୍କୃତିକ ପରିଚୟକୁ ଆହୁରି ସୁଦୃଢ଼ କରିବ।




