ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: ୧ ଏପ୍ରିଲରୁ ବଦଳୁଛି ଟିକେଟ୍ ବାତିଲ୍ ଓ ରିଫଣ୍ଡ ନିୟମ
ଜାଣନ୍ତୁ କେତେ ଘଣ୍ଟା ପୂର୍ବରୁ କ୍ୟାନସଲ୍ କଲେ ମିଳିବ ଟଙ୍କା

ନୂଆଦିଲ୍ଲୀ, ୨୫ ମାର୍ଚ୍ଚ ୨୦୨୬: ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ଟିକେଟ୍ ବାତିଲ୍ ଏବଂ ବୋର୍ଡିଂ ନିୟମରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଆସନ୍ତା ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ମଧ୍ୟରେ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ ଅନୁଯାୟୀ, ଯାତ୍ରୀମାନେ ଟ୍ରେନ୍ ଛାଡ଼ିବାର କେତେ ସମୟ ପୂର୍ବରୁ ଟିକେଟ୍ ବାତିଲ୍ କରୁଛନ୍ତି, ତାହା ଉପରେ ରିଫଣ୍ଡ ରାଶି ନିର୍ଭର କରିବ। ଯଦି ଜଣେ ଯାତ୍ରୀ ଯାତ୍ରା ଆରମ୍ଭର ୭୨ ଘଣ୍ଟା (୩ ଦିନ) ପୂର୍ବରୁ ଟିକେଟ୍ ବାତିଲ୍ କରନ୍ତି, ତେବେ ସେ ସର୍ବାଧିକ ରିଫଣ୍ଡ ପାଇବେ ଏବଂ କେବଳ ସର୍ବନିମ୍ନ ଫିକ୍ସ ଚାର୍ଜ କଟାଯିବ। ମାତ୍ର ବିଳମ୍ବରେ ଟିକେଟ୍ ବାତିଲ୍ କଲେ ଯାତ୍ରୀଙ୍କୁ ମୋଟା ଅଙ୍କର କ୍ଷତି ସହିବାକୁ ପଡ଼ିବ।
ରେଳବାଇର ନୂଆ ରିଫଣ୍ଡ ଚାର୍ଟ ଅନୁଯାୟୀ, ୭୨ ଘଣ୍ଟାରୁ ୨୪ ଘଣ୍ଟା ମଧ୍ୟରେ ଟିକେଟ୍ ବାତିଲ୍ କଲେ ମୋଟ ଭଡ଼ାର ୨୫% କଟାଯିବ। ସେହିପରି ୨୪ ଘଣ୍ଟାରୁ ୮ ଘଣ୍ଟା ମଧ୍ୟରେ ବାତିଲ୍ କଲେ ଭଡ଼ାର ୫୦% ସିଧାସଳଖ କଟାଯିବା ନେଇ ନିୟମ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକେଟ୍ ବାତିଲ୍ କରାଯାଏ ନାହିଁ, ତେବେ ଯାତ୍ରୀଙ୍କୁ କୌଣସି ରିଫଣ୍ଡ ମିଳିବ ନାହିଁ ଏବଂ ସେ ସମ୍ପୂର୍ଣ୍ଣ ଭଡ଼ା ହରାଇବେ। ଟ୍ରେନ୍ ଛାଡ଼ିବା ପରେ ମଧ୍ୟ କୌଣସି ଫେରସ୍ତ ଦିଆଯିବ ନାହିଁ। ଶେଷ ମୁହୂର୍ତ୍ତରେ ଟିକେଟ୍ ବାତିଲ୍ କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଚେତାବନୀ ସଦୃଶ।
ଅନ୍ୟପକ୍ଷରେ, ରେଳବାଇ ଯାତ୍ରୀମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମଧ୍ୟ ପ୍ରଦାନ କରିଛି। ଏବେ ଯାତ୍ରୀମାନେ ଟ୍ରେନ୍ ଛାଡ଼ିବାର ମାତ୍ର ୩୦ ମିନିଟ୍ ପୂର୍ବରୁ ନିଜର ବୋର୍ଡିଂ ଷ୍ଟେସନ୍ ପରିବର୍ତ୍ତନ କରିପାରିବେ। ଏହି ସୁବିଧା ବିଶେଷ କରି ଏକାଧିକ ଷ୍ଟେସନ୍ ଥିବା ବଡ଼ ସହରଗୁଡ଼ିକର ଯାତ୍ରୀମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ। ତେଣୁ ଆଗାମୀ ଏପ୍ରିଲ ମାସରୁ ଯାତ୍ରା ପାଇଁ ଯୋଜନା କରୁଥିବା ଯାତ୍ରୀମାନେ ଏହି ନୂଆ ସମୟସୀମା ଏବଂ ନିୟମ ବିଷୟରେ ଜାଣି ରଖିବା ଜରୁରୀ, ଯାହାଦ୍ୱାରା ସେମାନେ ଆର୍ଥିକ କ୍ଷତିରୁ ବର୍ତ୍ତିପାରିବେ।




