୫୫ ଲକ୍ଷ ଟଙ୍କାର ପୁରସ୍କୃତ ମାଓବାଦୀ ଶୁକ୍ରୁ କଲେ ଆତ୍ମସମର୍ପଣ

ଫୁଲବାଣୀ/ବିଜାପୁର, ୨୪ ମାର୍ଚ୍ଚ ୨୦୨୬: ଦେଶକୁ ମାଓମୁକ୍ତ କରିବା ପାଇଁ ଜାରି ରହିଥିବା ଅଭିଯାନରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। କନ୍ଧମାଳ ଜିଲ୍ଲାରେ ବେଶ୍ ସକ୍ରିୟ ଥିବା ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ନେତା ଶୁକ୍ରୁ ଆଜି କନ୍ଧମାଳ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଶୁକ୍ରୁ ନିଜର ଏକେ-୪୭ (AK-47) ବନ୍ଧୁକ ସହ ପୋଲିସ ପାଖରେ ଶରଣ ପଶିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଶୁକ୍ରୁଙ୍କୁ ଧରାଇ ଦେବା ପାଇଁ ପୂର୍ବରୁ ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ କନ୍ଧମାଳ ଅଞ୍ଚଳରେ ‘ଏଇଟ୍ଥ କମ୍ପାନୀ’ ନାମରେ ଏକ ନୂଆ ସଂଗଠନ ଚଳାଇ ସକ୍ରିୟ ରହିଥିଲେ। ଓଡ଼ିଶା ପୋଲିସର ନିରନ୍ତର ଆହ୍ୱାନ ଏବଂ ବଢୁଥିବା ଚାପ ଯୋଗୁଁ ସେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଅନ୍ୟପକ୍ଷରେ, ଛତିଶଗଡ଼ର ବିଜାପୁର ପୋଲିସ ନିକଟରେ ଆଉ ଜଣେ ଟପ୍ ମାଓବାଦୀ ନେତା ପାପା ରାଓ ନିଜର ୧୭ ଜଣ ସହଯୋଗୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ପାପା ରାଓ ଓଡ଼ିଶା, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ମାଓବାଦୀ କାର୍ଯ୍ୟକଳାପର ନେତୃତ୍ୱ ନେଉଥିଲେ। ୨୦୧୦ ମସିହାରେ ଦନ୍ତେୱାଡାରେ ହୋଇଥିବା ଭୟଙ୍କର ମାଓ ଆକ୍ରମଣ, ଯେଉଁଥିରେ ୭୬ ଜଣ ସିଆରପିଏଫ୍ (CRPF) ଯବାନ ଶହୀଦ ହୋଇଥିଲେ, ସେଥିରେ ପାପା ରାଓଙ୍କ ପ୍ରମୁଖ ସମ୍ପୃକ୍ତି ରହିଥିଲା। ତାଙ୍କ ସ୍ତ୍ରୀ ଉର୍ମିଲା ମଧ୍ୟ ଜଣେ ପ୍ରଭାବଶାଳୀ ମାଓ ନେତ୍ରୀ ଥିଲେ, ଯିଏ କି ୨୦୨୫ ନଭେମ୍ୱର ୧୩ରେ ସୁରକ୍ଷା ବାହିନୀଙ୍କ ସହ ଏନ୍କାଉଣ୍ଟରରେ ପ୍ରାଣ ହରାଇଥିଲେ। ପାପା ରାଓ ସବୁବେଳେ CRPF କ୍ୟାମ୍ପଗୁଡ଼ିକୁ ନିଜ ଟାର୍ଗେଟରେ ରଖୁଥିଲେ।
ଦେଶକୁ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ମାଓମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଡେଡ୍ଲାଇନ୍ ମଧ୍ୟରେ ଏହି ଦୁଇ ବଡ଼ ନେତାଙ୍କ ଆତ୍ମସମର୍ପଣ ମାଓ ସଂଗଠନର ମେରୁଦଣ୍ଡ ଭାଙ୍ଗି ଦେଇଛି। ଶୁକ୍ରୁ ଏବଂ ପାପା ରାଓଙ୍କ ଭଳି ଦୁର୍ଦ୍ଦାନ୍ତ ମାଓବାଦୀ ମୁଖ୍ୟ ସ୍ରୋତକୁ ଫେରିବା ଦ୍ୱାରା ଆଗାମୀ ଦିନରେ ମାଓବାଦୀ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବ ବୋଲି ଆଶା କରାଯାଉଛି। ସୁରକ୍ଷା ବାହିନୀ ପକ୍ଷରୁ ଏହି ସଫଳତା ପାଇଁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ପ୍ରଶଂସା କରାଯାଇଛି।




