ଓଡ଼ିଶାପାଣିପାଗ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଜାରି ହେଲା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍

ଭୁବନେଶ୍ୱର, ୨୪ ମାର୍ଚ୍ଚ ୨୦୨୬: ରାଜ୍ୟରେ ଏବେଠାରୁ ତାପମାତ୍ରା ଉପରମୁହାଁ ହେବାରେ ଲାଗିଛି, ଯାହା ଆଗାମୀ ଦିନରେ ସାଧାରଣ ଜୀବନଯାତ୍ରାକୁ ଅତିଷ୍ଠ କରିବାକୁ ଯାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତର ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ବିଶେଷ କରି ପ୍ରବଳ ଖରା ସମୟ ଅର୍ଥାତ୍ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ କୌଣସି କାମରେ ନିୟୋଜିତ ନକରିବା ପାଇଁ ଏଥିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଏପ୍ରିଲ ୧ ତାରିଖରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ଏହି ନୂଆ ନିୟମ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ। ସରକାରୀ ହେଉ ବା ବେସରକାରୀ, ସମସ୍ତ କ୍ଷେତ୍ରର ନିଯୁକ୍ତିଦାତାମାନେ ଶ୍ରମିକମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବାଧ୍ୟ ରହିବେ। ଏଥିପାଇଁ ସମସ୍ତ ରାଜସ୍ୱ କମିଶନର ଏବଂ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ଯେପରି କୌଣସି ସ୍ଥାନରେ ଏହି ନିୟମର ଉଲ୍ଲଂଘନ ନହୁଏ। ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି, ଯାହାଦ୍ୱାରା ଅଂଶୁଘାତ ଜନିତ ବିପତ୍ତିକୁ ଏଡ଼ାଯାଇପାରିବ।

ରାଜ୍ୟରେ ଆଗକୁ ତାତି ଆହୁରି ବଢ଼ିବାକୁ ଥିବାରୁ ଏହି ନିର୍ଦ୍ଦେଶନାମା ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗକୁ ଖରା ଆହୁରି ପୋଡ଼ିବ ଓ ସିଝାଇବ, ତେଣୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ ଏହି ନିୟମକୁ କିଭଳି ସଫଳତାର ସହ ପାଳନ କରାଯିବ, ସେଥିପାଇଁ ନିରନ୍ତର ନଜର ରଖାଯିବ ବୋଲି ସୂଚନା ମିଳିଛି।

Related Articles

Back to top button