କମୁଛି ସୁନା ଦର, ଦୋକାନରେ ବଢ଼ିଲା ଭିଡ଼

ହୁ ହୁ ବଢୁଥିବା ସୁନା ଦରରେ ଲାଗିଲା ବ୍ରେକ । କମିଲା ସୁନା ଦର । ଲଗାତାର ୪ ଦିନରେ ୫, ୬୦୦ ଟଙ୍କା କମିଛି ୨୨ କ୍ୟାରେଟ ସୁନା ଦର। ଏବଂ ୨୪ କ୍ୟାରେଟ ସୁନା ୪ ଦିନରେ ୬୧୧୦ ଟଙ୍କା କମିଛି। ଦର କମିବା ପରେ ସୁନା ଦୋକାନରେ ବଢ଼ିଛି ଗ୍ରାହକଙ୍କ ଭିଡ଼ ।ଆଜି ୨୨ କ୍ୟାରେଟ ସୁନା ଦର ୧୨୦୦ ଟଙ୍କା କମି ୧ଲକ୍ଷ ୨୬ହଜାର ୯୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ ସୁନା ଦର ଆଜି ୧୩୧୦ ଟଙ୍କା କମି ୧ଲକ୍ଷ ୩୮ହଜାର ୪୯୦ ଟଙ୍କାରେ ପହଞ୍ଚିଛି।
ଆଗକୁ ବିବାହ ଋତୁ ଆସୁଛି । ଓଡ଼ିଆ ପରମ୍ପରା ଅନୁସାରେ ବାହାଘର ହେଉ କି ବ୍ରତ ଘର ହେଉ ସୁନା ଜିନିଷ ଦେଇଥାନ୍ତି । ହେଲେ ଯେଉଁଭଳି ଭାବେ ସୁନା ଦର ହୁ ହୁ ହୋଇ ବଢି ଦେଢ଼ ଲକ୍ଷରେ ପହଞ୍ଚିଥିଲା ଲୋକମାନେ ସୁନା କିଣିବା ତ ଦୂରର କଥା ..ଛୁଇଁବାକୁ ଡରୁଥିଲେ । କିନ୍ତୁ ଏବେ ଟିକେ ହ୍ରାସ ପାଇଥିବାରୁ ସୁନା ବଜାରରେ ପୁଣି ଫେରିଛି ଚମକ। ଦୀର୍ଘ ଦିନ ଧରି ସୁନା ଦର ବୃଦ୍ଧି ଯୋଗୁଁ ଗହଣା କିଣିବାକୁ ପଛଘୁଞ୍ଚା ଦେଉଥିଲେ ଗ୍ରାହକ। କିନ୍ତୁ ସୁନା ଦର ଲଗାତାର କମୁଥିବାରୁ ସୁନା କିଣିବାକୁ ଗ୍ରାହକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି।




