ଇନ୍ଦିରା ଗାନ୍ଧୀଙ୍କ ୪୨ତମ ତିରୋଧାନ ଦିବସ ପାଳିତ, ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ମନେ ପଡ଼ିଲେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ। ତାଙ୍କର ୪୨ତମ ତିରୋଧାନ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ସ୍ମୃତି ସମାରୋହ।ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସୌଜନ୍ୟତାରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମିତିର ସାଧାରଣ ସମ୍ପାଦକ ଅମିୟ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଏବଂ ସମିତିର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ସଭାପତିତ୍ୱରେ ସମାରୋହ ଅନୁଷ୍ଠିତ ହୋଇଥିଲା।
ପ୍ରତ୍ୟୁଷରୁ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାସୁମନ ଜଣାଯାଇଥିଲା। ଏହାପରେ ସର୍ବଧର୍ମ ପ୍ରାର୍ଥନା ସଭା, ରାମଧୁନ ଭଜନ, ସଂକୀର୍ତ୍ତନ ଏବଂ ଇନ୍ଦିରା ଗାନ୍ଧୀଙ୍କ ଜୀବନୀ ଉପରେ ଆଧାରିତ ପାଲା ପରିବେଷଣ କରାଯାଇଥିଲା।ଏହି ସ୍ମୃତି ସମାରୋହରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗୋ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ।
ସମସ୍ତେ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ଜୀବନ, ଦେଶ ପ୍ରତି ତାଙ୍କର ଅବଦାନ ଏବଂ ସ୍ମୃତିକୁ ମନେ ପକାଇଥିଲେ। ଏହି ଅବସରରେ ସମ୍ପାଦକ ପୃଥିବୀଲ୍ଲଭ ପଟ୍ଟନାୟକଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ।ସେହିପରି ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 151 ତମ ଜନ୍ମ ଦିବସରେ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି ।




