ଓଡ଼ିଶାପାଣିପାଗ

ଆନ୍ଧ୍ରମୁହାଁ ବାତ୍ୟା ଅର୍ଣ୍ଣବ

ସକାଳୁ ସକାଳୁ ଭୁବନେଶ୍ୱର ଅନ୍ଧାର । କେବଳ ଭୁବନେଶ୍ୱର ନୁହେଁ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ସକାଳ ପ୍ରାୟ ୯ଟାରୁ ଆକାଶ ମେଘାଚ୍ଛନ୍ନ ହୋଇ ଅନ୍ଧକାରମୟ ହୋଇପଡ଼ିଥିବା ବେଳେ ଧୀରେ ଧୀରେ ପବନର ବେଗ ମଧ୍ୟ ବଢ଼ୁଥିବା ଦେଖିବାକୁ ମିଳିଛି। ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି। ମଝିରେ ମଝିରେ ପବନର ବେଗ ବଢ଼ୁଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେଉଛି। ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ବର୍ଷା ଲାଗି ରହିଛି।

ଭାରତୀୟ ପାଣିପାଗ ବିଭାଗର ୨୭ ଅକ୍ଟୋବର ଭୋରର ବୁଲେଟିନ୍‌ ଅନୁସାରେ, ବାତ୍ୟା ଅର୍ଣ୍ଣବ ଅତି ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହା ଘଣ୍ଟାପ୍ରତି ପ୍ରାୟ ୨୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ବାତ୍ୟାଟି ଆନ୍ଧ୍ରପ୍ରଦେଶ ଓ ୟାନମ୍‌ ଉପକୂଳ ଆଡ଼କୁ ମୁହାଁଉଛି। ଅକ୍ଟୋବର ୨୬ ରାତିରେ ବାତ୍ୟା କେନ୍ଦ୍ର ଗୋପାଳପୁରଠାରୁ ପ୍ରାୟ ୪୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ, ବିଶାଖାପାଟଣାଠାରୁ ୩୫୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଏବଂ କାକିନାଡାଠାରୁ ୪୨୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବରେ ରହିଥିଲା।

ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ବାତ୍ୟାଟି ବାପଟଲା ଓ ବିଶାଖାପାଟଣା ମଧ୍ୟରେ, ୟାନମ୍‌ ନିକଟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

Related Articles

Back to top button