୯ଟି ସ୍ଥାନରେ ରାବଣପୋଡି । କଡ଼ା ନଜର ରଖିଛି ପୋଲିସ

ପୂଜା ମଣ୍ଡପ ବୁଲିବାରେ ଲୋକଙ୍କ ଉତ୍ସାହ ଯେତିକି ଥାଏ । ତା ଠାରୁ ବେଶୀ ଉତ୍ସାହ ଥାଏ ରାବଣ ପୋଡି ଦେଖିବାକୁ । ବିଜୟା ଦଶମୀ ଦିନ ରାବଣ ପୋଡି ହୋଇଥାଏ । ଏଥର ରାଜଧାନୀରେ ୯ଟି ସ୍ଥାନରେ ଅନୁଷ୍ଠିତ ହେବ ରାବଣପୋଡ଼ି । ରାବଣପୋଡ଼ି ସମୟରେ ବହୁତ ଜନସମାଗମ ହୋଇଥାଏ । ତେଣୁ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ କମିସନ୍ରେଟ୍ ପୋଲିସ ପକ୍ଷରୁ ପ୍ରସ୍ତୁତି କରାଯାଇଛି ।
ରାବଣପୋଡ଼ି ହେବାକୁ ଥିବା ସ୍ଥାନଠାରୁ ୧୦୦ ମିଟର ଦୂରତାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ । ରାବଣପୋଡ଼ିରେ ସବୁଜ ବାଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା କିମ୍ବା ଅତି ଭୟଙ୍କର ବାଣ ବ୍ୟବହାର କଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି କମିସନରେଟ ପୋଲିସ ।ସେହିଭଳି ଅଗ୍ନିକାଣ୍ଡ ଭଳି ପରିସ୍ଥିତିର ମୁକାବିଲା ପାଇଁ ଅଗ୍ନିଶମ ଟିମ୍ ମୁତୟନ ହେବେ । ଏୟାରଫିଲ୍ଡ ଥାନା କପିଳପ୍ରସାଦସ୍ଥିତ ଖେଳପଡ଼ିଆ, ନହରକଣ୍ଟା, ବାଙ୍କୁଆଳ, କୋରଡ଼କଣ୍ଟା, ଚନ୍ଦ୍ରଶେଖରପୁର, ବରମୁଣ୍ଡା, ନୂଆପଲ୍ଲୀ, ଗଣ୍ଡରପୁର ସମେତ ୯ଟି ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ସେହିପରି ମହାମାୟୀଙ୍କ ଭସାଣି ଉତ୍ସବ ପାଇଁ ୬ଟି ଅସ୍ଥାୟୀ ବିସର୍ଜନ ସ୍ଥଳୀ ନିର୍ମାଣ କରାଯାଇଛି । ସୁରକ୍ଷା ନିମନ୍ତେ ୪୮ ପ୍ଲାଟୁନ୍ ପୁଲିସ୍ ଫୋର୍ସ ନିୟୋଜିତ ରହିବେ ।




