ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ସରିଲା ଛାତ୍ର ସଂସଦ ନିର୍ବାଚନ । ଆଉ ଆଗକୁ ବି ଆସୁଛି ପଂଚାୟତ ନିର୍ବାଚନ । ଏ ନେଇ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୫ ତାରିଖରେ ଭୁବନେଶ୍ୱରରେ ପହଂଚିବା ପରେ ଦଳୀୟ ନେତାଙ୍କ କଥା ଆଲୋଚନା କରିବେ ବୋଲି କୁହାଯାଉଛି । ଏହା ସହ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ତାଙ୍କର ସରକାରୀ କାର୍ଯ୍ୟକ୍ରମ ରହିଛି । ସେହିପରି ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି।
ଅକ୍ଟୋବର ୨୮ ଓ ୨୯ରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ୨ ଦିନ ଧରି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ ରାଷ୍ଟ୍ରପତି। ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବେ। ୨୮ ଅକ୍ଟୋବର ୧୦ଟା ୪୫ରେ ଦାଣ୍ଡବୋଷ ବିମାନବନ୍ଦରରେ ପହଞ୍ଚିବା ପରେ ବହଳଦାସ୍ଥିତ ମା’ କିଚକେଶ୍ୱରୀ ମନ୍ଦିର ଏବଂ ମହୁଲଡିହାର ଲକ୍ଷ୍ମୀ ମଣ୍ଡପ ପରିଦର୍ଶନ କରିବେ । ଏହାପରେ ରାଇରଙ୍ଗପୁରସ୍ଥିତ ନିଜ ଘରକୁ ଯିବେ। ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମେଗା ସ୍ୱାସ୍ଥ୍ୟ ଶିବିରରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ।
ସେହିଦିନ ରାଇରଙ୍ଗପୁର କଚେରି ପଡ଼ିଆରେ ଆୟୋଜିତ ସାର୍ବଜନୀନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ମାଧ୍ୟମରେ ଆଇଆଇଏଫ୍ଏମ୍ କ୍ୟାମ୍ପସର ଶିଳାନ୍ୟାସ, ମା’ କିଚକେଶ୍ୱରୀ ମନ୍ଦିରର ଉନ୍ନତୀକରଣ ଓ ନବୀକରଣ ସମ୍ପର୍କିତ କାର୍ଯ୍ୟର ଶିଳାନ୍ୟାସ ସମେତ ଅନ୍ୟାନ୍ୟ ପ୍ରକଳ୍ପ ସମ୍ପର୍କିତ କାର୍ଯ୍ୟକ୍ରମ ରହିଛି ।ଅକ୍ଟୋବର ୨୯ ତାରିଖରେ ରାଷ୍ଟ୍ରପତି ରାଇରଙ୍ଗପୁର କ୍ରୀଡ଼ା କମ୍ପ୍ଲେକ୍ସ, ବିକାଶ ନଗରରେ ନବନିର୍ମିତ ପୂର୍ବତନ ସୈନିକଙ୍କ ସିଏସ୍ଡି କ୍ୟାଣ୍ଟିନ୍ ଏବଂ ଗୋରୁମହିଷାଣୀ ଆଇରନ୍ କଲେଜସ୍ଥିତ ବହୁମୁଖୀ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ଏହାପରେ ଟାଉନ୍ ହଲ୍ରେ ଏକ କାର୍ଯ୍ୟକ୍ରମ ରହିଛି ।




