ଜେଲ ଭିତରେ ହିଂସାକାଣ୍ଡ । ୧୦ ମୃତ, ୧୬ ଆହତ

ଜେଲ ଭିତରେ ହିଂସାକାଣ୍ଡ । ଆଉ ଏହା ଏତେ ଭୟଙ୍କର ହୋଇଛି ଯେ , ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ ଜଣ ଆହତ ହୋଇଛନ୍ତି । ଆଉ ଏହାକୁ ନେଇ ଏବେ ଜେଲ ଅଧିକାରୀଙ୍କ ଉପରକୁ ଆଙ୍ଗୁଳି ଉଠୁଛି । କାରଣ ଜେଲ ଭିତରେ ଯଦି ଏତେ ବଡ଼ ହିଂସାକାଣ୍ଡ ଘଟିପାରୁଛି । ତାହେଲେ ବାହାରେ କେତେ ଭୟଙ୍କର ହେଇଥିବ | ଏହି ଘଟଣା ମେକ୍ସିକୋର ସିନାଲୋଆ ରାଜ୍ୟରେ ଥିବା ଏକ ଜେଲରେ ଏକ ବଡ଼ଧରଣର ହିଂସାକାଣ୍ଡ ଘଟିଛି। ଗୋଟିଏ ସପ୍ତାହ ଭିତରେ ମେକ୍ସିକୋ ଜେଲରେ ଏପରି ଦ୍ୱିତୀୟ ବଡ଼ ହିଂସାକାଣ୍ଡ ଘଟିଛି।
ମେକ୍ସିକୋର ଉତ୍ତର-ପଶ୍ଚିମାଞ୍ଚଳରେ ଥିବା ସିନାଲୋଆ ରାଜ୍ୟର ମାଜାଟ୍ଲାନ୍ ସହରସ୍ଥିତ ‘ଏଲ୍ କାଷ୍ଟିଲୋ’ ପେନିଟେନିଆରୀ ଜେଲ ଭିତରେ କଏଦୀମାନଙ୍କ ପରିବାରବର୍ଗଙ୍କ ସାକ୍ଷାତ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ହଠାତ୍ ଏହି ହିଂସାକାଣ୍ଡ ହୋଇଥିଲା। ମୃତକଙ୍କ ମଧ୍ୟରେ ୯ ଜଣ କଏଦୀ ଓ ଜଣେ ନାବାଳକ ଭିଜିଟର୍ ଅଛନ୍ତି। ଏହା ବ୍ୟତୀତ ଆହତ ହୋଇଥିବା ୧୬ ଜଣ କଏଦୀଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଖବର ପାଇବା ପରେ ସେନା, ନ୍ୟାସନାଲ୍ ଗାର୍ଡ, ନୌସେନା ଓ ରାଜ୍ୟ ସୁରକ୍ଷା ବାହିନୀର ଯବାନମାନେ ଜେଲ୍ ଭିତରକୁ ପ୍ରବେଶ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଏହି ହିଂସାକାଣ୍ଡର ପ୍ରକୃତ କାରଣ କ’ଣ ଜଣାପଡ଼ିନାହିଁ। ତଦନ୍ତ ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ସଂଘର୍ଷ ସମୟରେ କେତେକ କଏଦୀଙ୍କ ପାଖରେ ଅସ୍ତ୍ର ଥିଲା।
ସୂଚନାଯୋଗ୍ୟ, ସିନାଲୋଆ ରାଜ୍ୟରେ ବହୁତ ନିଶା କାରବାର ହେଉଥିବା ସହ ତାହା ଅତି ସମ୍ବେଦନଶୀଳ ଓ ହିଂସାପ୍ରବଣ ଅଞ୍ଚଳ। ଗୋଟିଏ ସପ୍ତାହ ଭିତରେ ପୁଣିଥରେ ଜେଲ୍ ଭିତରେ ଏଭଳି ରକ୍ତାକ୍ତ ସଂଘର୍ଷ ଘଟିଥିବାରୁ ଦେଶର ଜେଲ୍ ସୁରକ୍ଷା ବ୍ୟବସ୍ଥା ଏବଂ କାରାଗାର ପ୍ରଶାସନର କାର୍ଯ୍ୟଦକ୍ଷତା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।




