ଭୟଙ୍କର ବିମାନ ଦୁର୍ଘଟଣା। ଚାଲିଗଲା ୩୨ ଜଣଙ୍କ ଜୀବନ ।

ଭୟଙ୍କର ବିମାନ ଦୁର୍ଘଟଣା। ଆଖି ପିଛୁଳାକେ ସବୁ ଛାରଖାର | ଚାଲିଗଲା ୩୨ ଜଣଙ୍କ ଜୀବନ । ସୂଚନା ଅନୁସାରେ, ନାଇଜେରିଆର ବେନିନ୍ ସିଟିରୁ ଲାଗୋସ ଅଭିମୁଖେ ଉଡ଼ାଣ ଭରିଥିଲା ନାଇଜେରୀୟ ବାୟୁସେନାର ଏକ ATR-42 ବିମାନ । ସୋମବାର ସକାଳ ପ୍ରାୟ ୯ଟା ସମୟରେ ହଠାତ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ବିମାନର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଆଉ କିଛି ସମୟ ମଧ୍ୟରେ ଚାଲିଗଲା ୩୨ ଜଣଙ୍କ ଜୀବନ | ମୃତକଙ୍କ ମଧ୍ୟରେ ରହିଛନ୍ତି ୭ ଜଣ ବିମାନ କର୍ମଚାରୀ ଏବଂ ୨୫ ଜଣ ଯାତ୍ରୀ ।
ଦୁର୍ଘଟଣା ପରେ ବିମାନର ସନ୍ଧାନ ଆରମ୍ଭ କରିଥିଲେ ଉଦ୍ଧାରକାରୀ ଦଳ । ଶେଷରେ ଇଗବୋକୋଡା ଉପକୂଳବର୍ତ୍ତୀ ସହର ନିକଟରେ ବିମାନର ଭଗ୍ନାବଶେଷ ଠାବ କରାଯାଇଥିଲା । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନଦୀ ନିକଟରେ ବିମାନଟି ଖସିପଡ଼ିଥିଲା । ବିମାନର କିଛି ଅଂଶ ପାଣି ଭିତରେ ବୁଡ଼ି ରହିଥିବା ମଧ୍ୟ ଜଣାପଡ଼ିଛି । ଦୁର୍ଘଟଣା ପୂର୍ବରୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣିଥିବା କହିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ଅତ୍ୟନ୍ତ ଭୟଙ୍କର ଦୃଶ୍ୟ ଦେଖିଥିଲେ । ଘଟଣାସ୍ଥଳରେ ମୃତଦେହର ଅଂଶ, ପୋଷାକ ଏବଂ ଜୋତା ଆଦି ବିକ୍ଷିପ୍ତ ହୋଇ ପଡ଼ିଥିବା ସୂଚନା ମିଳିଛି ।
ଏହି ଭୟାବହ ଦୁର୍ଘଟଣା ପରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଟିନୁବୁ ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣାର ପ୍ରକୃତ କାରଣ ତୁରନ୍ତ ଖୋଜି ବାହାର କରିବାକୁ ନାଇଜେରୀୟ ବାୟୁସେନାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ବାୟୁସେନା ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ତଦନ୍ତ ଓ ଖୋଜାଖୋଜି ଜାରି ରହିଛି । ତେବେ ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା, ଏହାର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।




