ସୁନ୍ଦରଗଡ଼ PNB ଶାଖାରେ ଭୟାବହ ଅଗ୍ନିକାଣ୍ଡ


ଭୁବନେଶ୍ବର: ସୁନ୍ଦରଗଡ଼ ସହରସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଶାଖାରେ ଆଜି ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୮ଟା ସମୟରେ ବ୍ୟାଙ୍କ ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ବହୁ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି। ତେବେ ବ୍ୟାଙ୍କ ଭିତରେ ପ୍ରବଳ ଧୂଆଁ ଭରି ରହିଥିବାରୁ କ୍ଷୟକ୍ଷତିର ପ୍ରକୃତ ପରିମାଣ ଏପର୍ଯ୍ୟନ୍ତ ଆକଳନ କରାଯାଇପାରି ନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବାରୁ କିଛି ସମୟ ପାଇଁ ଆଖପାଖରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ନିଆଁ ଲାଗିବାର ନିଶ୍ଚିତ କାରଣ ଏବଂ ସମ୍ପୂର୍ଣ୍ଣ କ୍ଷୟକ୍ଷତିର ଆକଳନ ପାଇଁ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।



