ଘରୋଇ କମ୍ପାନୀକୁ ସୁହାଇଲା ଭଳି ନିୟମ କରିଥିଲା ବିଜେଡି: ବାବୁ ସିଂ

ବକ୍ସାଇଟ୍ ଯୋଗାଣ ଓ କନଭର୍ସନ ଫ୍ୟାକ୍ଟର ମାମଲାକୁ ନେଇ ରାଜ୍ୟ ରାଜନୀତିରେ ତେଜ ହୋଇଛି ବିଜେପି-ବିଜେଡି ବାକ୍ଯୁଦ୍ଧ। ଏକାମ୍ର ବିଧାୟକ ବାବୁ ସିଂହ ଅଭିଯୋଗ କରିଛନ୍ତି ଯେ ଘରୋଇ କମ୍ପାନୀକୁ ସୁହାଇଲା ଭଳି ନିୟମ କରିବା ଏବଂ ପରେ କୋର୍ଟରେ ସେହି କମ୍ପାନୀ ପକ୍ଷରେ ଯୁକ୍ତି ରଖିବା ବିଜେଡି ସରକାରଙ୍କ ଅଭ୍ୟାସ ଥିଲା। ୨୦୨୦ରେ ତତ୍କାଳୀନ ରାଜ୍ୟ ସରକାର କେନ୍ଦ୍ରକୁ ଦୁଇଟି ଚିଠି ଲେଖି କନଭର୍ସନ ଫ୍ୟାକ୍ଟର କମାଇବାକୁ ସୁପାରିଶ କରିଥିଲେ।
ପ୍ରଶ୍ନ ଉଠାଇ ସେ କହିଛନ୍ତି—ଯଦି ଏହା କେବଳ ବୈଷୟିକ ତ୍ରୁଟି ଥିଲା, ତେବେ କନଭର୍ସନ ଫ୍ୟାକ୍ଟର କମାଇବା ପାଇଁ କେନ୍ଦ୍ରକୁ ସୁପାରିଶ କାହିଁକି କରାଯାଇଥିଲା?”ତାଙ୍କ ଦାବି ହେଉଛି, ଏହା ମାନ୍ୟ ହୋଇଥିଲେ ବକ୍ସାଇଟ୍ ଦର ଟନ୍ ପ୍ରତି ପ୍ରାୟ ୧,୭୦୭ ଟଙ୍କାରୁ କମି ସର୍ବନିମ୍ନ ୭୫୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିଥାନ୍ତା ଏବଂ ଏହାର ପ୍ରଭାବ ରାଜ୍ୟର ରାଜସ୍ୱ ଉପରେ ପଡ଼ିଥାନ୍ତାସେ ଆହୁରି କହିଛନ୍ତି, ହାଇକୋର୍ଟଙ୍କ ରାୟକୁ ପୂର୍ବ ସରକାରଙ୍କ ସଫଳତା ଭାବେ ଦେଖାଇବା ଠିକ୍ ନୁହେଁ। ତାଙ୍କ ମତରେ, ୨୦୧୫ର MMDR ଆଇନ ଏବଂ MCR 2016 Rule 45 ଭଳି କେନ୍ଦ୍ରୀୟ ଆଇନଗତ ବ୍ୟବସ୍ଥାର ପ୍ରଭାବ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ।
ଘରୋଇ କମ୍ପାନୀକୁ ସୁବିଧା ଦେବା ପାଇଁ କନଭର୍ସନ ଫ୍ୟାକ୍ଟର କମାଇବାର ସୁପାରିଶ କାହିଁକି କରାଯାଇଥିଲା?ପ୍ରାୟ ୫,୪୦୦ କୋଟି ଟଙ୍କାର ବକେୟା ଥିବା ଅଭିଯୋଗ ଉପରେ ସେତେବେଳର ସରକାର କଣ ପଦକ୍ଷେପ ନେଇଥିଲେ?ଏବଂ ରାଜ୍ୟର ସମ୍ପତ୍ତି ଓ ରାଜସ୍ୱ ସମ୍ପର୍କିତ ଏହି ସମସ୍ତ ପ୍ରଶ୍ନର ଜବାବ ବିଜେଡି ଓ ତାହାର ନେତୃତ୍ୱ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।




