ଟ୍ରକ୍-ପିକ୍ଅପ୍ ଧକ୍କା, ଚାଲିଗଲା ୭ ଜଣଙ୍କ ଜୀବନ ।

ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ହିଁ ଚାଲିଗଲା ୭ ଜଣଙ୍କ ଜୀବନ । ଏକ ଟ୍ରକ୍ ଓ ପିକ୍ଅପ୍ ମଧ୍ୟରେ ଜୋରଦାର ଧକ୍କା ହେବାରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଧାମନଗାଁ ରେଲୱେ ଷ୍ଟେସନ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ପିକ୍ଅପ୍ରେ କିଛି ଶ୍ରଦ୍ଧାଳୁମାନେ ଯାତ୍ରା କରୁଥିଲେ। ସେମାନେ ବୁଲଢାଣା ଜିଲ୍ଲାର ପ୍ରସିଦ୍ଧ ତୀର୍ଥସ୍ଥଳ ଶେଗାଓଁରୁ ୱାର୍ଦ୍ଧା ଅଭିମୁଖେ ଯାଉଥିଲେ। ଗାଡ଼ିରେ ଦୁର୍ଗା ମୂର୍ତ୍ତି ମଧ୍ୟ ନିଆଯାଉଥିଲା। ଏହି ସମୟରେ ପିକ୍ଅପ୍ ଗାଡିଟି ଟ୍ରକ୍ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଖବର ପାଇବା ପରେ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆରମ୍ଭ ଉଦ୍ଧାର କାର୍ଯ୍ୟ କରିଥିଲା। ପୁଲିସ ୧୯ ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଗ୍ରାମୀଣ ହସ୍ପିଟାଲକୁ ପଠାଇଥିଲା। ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ସହ କିଛି ସାମ୍ବାଦିକ ମଧ୍ୟ ସହଯୋଗ କରିଥିଲେ।
ବରିଷ୍ଠ ପୁଲିସ ଅଧିକାରୀ ନିକେତନ କଦମଙ୍କ ସୂଚନା ଅନୁସାରେ, ଆହତ ୧୯ ଜଣଙ୍କ ମଧ୍ୟରୁ ୪ରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟମାନଙ୍କ ଅବସ୍ଥା ବିପଦମୁକ୍ତ ରହିଛି। ତେବେ ସମସ୍ତ ଆହତ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତଦନ୍ତ ଜାରି ରହିଛି।




