ପିକ୍ଅପ୍କୁ ପଛରୁ ପିଟିଲା ଟ୍ରକ୍, ୫ ମୃତ, ୨୧ ଆହତ


ନୂଆଦିଲ୍ଲୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାସ୍ଥିତ ସମୃଦ୍ଧି ଏକ୍ସପ୍ରେସୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗାଁଓ ରେଳବାଇ ଷ୍ଟେସନ୍ ନିକଟରେ ଏକ ଦ୍ରୁତଗାମୀ ଟ୍ରକ୍ ଏକ ବୋଲେରୋ ପିକ୍ଅପ୍ ଭ୍ୟାନ୍କୁ ପଛପଟୁ ଜୋରଦାର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସମୃଦ୍ଧି ଏକ୍ସପ୍ରେସୱେର ଚ୍ୟାନେଲ ୯୭ ନିକଟରେ ଗୁରୁବାର ରାତି ପ୍ରାୟ ୧୨:୪୫ ସମୟରେ ଏହି ଭୟଙ୍କର ସଂଘର୍ଷ ଘଟିଥିଲା। ଟ୍ରକ୍ଟି ଅତି ଦ୍ରୁତଗତିରେ ଆସି ପିକ୍ଅପ୍ ଭ୍ୟାନ୍ଟିକୁ ପଛପଟୁ ଧକ୍କା ଦେଇଥିଲା, ଯାହାଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଚୁରମାର୍ ହୋଇଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଓ ପୋଲିସ ମିଳିତ ଭାବେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ୨୧ ଜଣଙ୍କୁ ପ୍ରଥମେ ଧାମନଗାଁଓ ଗ୍ରାମୀଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ୱାର୍ଦ୍ଧା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ବିସ୍ତୃତ ତଦନ୍ତ ଜାରି ରଖିଛି।




