Uncategorized

ଭାରତୀୟ ତଟରକ୍ଷୀ ବାହିନୀକୁ ସଫଳତା: ୩ ହଜାର କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ନାଗରିକ ଅଟକ

ନୂଆଦିଲ୍ଲୀ: ଆରବ ସାଗରରେ ଏକ ବଡ଼ ଧରଣର ଅନ୍ତର୍ଜାତୀୟ ଡ୍ରଗ୍ସ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରିଛି ଭାରତୀୟ ତଟରକ୍ଷୀ ବାହିନୀ। ଏକ ଇରାନୀ ନୌକାରୁ ପ୍ରାୟ ୫୨୬ କିଲୋଗ୍ରାମ ଓଜନର ହେରୋଇନ୍ ଏବଂ ମେଥାମ୍ଫେଟାମାଇନ୍ ଭଳି ପ୍ରାଣଘାତୀ ନିଶାଦ୍ରବ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ଆନ୍ତର୍ଜାତୀୟ ମୂଲ୍ୟ ୩ ହଜାର କୋଟି ଟଙ୍କାରୁ ଅଧିକ। ଏହି ଅଭିଯାନ ସମୟରେ ନୌକାରେ ଥିବା ୫ ଜଣ ପାକିସ୍ତାନୀ କ୍ରୁ ସଦସ୍ୟଙ୍କୁ ଅଟକ ରଖାଯାଇଛି। ଗୁଜରାଟ ଆଣ୍ଟି ଟେରରିଜମ୍ ସ୍କ୍ୱାଡ୍ (ଏଟିଏସ୍)ରୁ ମିଳିଥିବା ସୁନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଏହି ବିଶେଷ ଅପରେସନ୍ ଆରମ୍ଭ କରାଯାଇଥିଲା। ଗତ ୨୫ ତାରିଖରେ ଲାକ୍ଷାଦ୍ୱୀପର ପଶ୍ଚିମ ଦିଗରେ ଏକ ସନ୍ଦିଗ୍ଧ ନୌକାର ଗତିବିଧି ଠାବ କରାଯାଇଥିଲା। ସମୁଦ୍ର ଏବଂ ଆକାଶପଥରୁ କଡ଼ା ନଜର ରଖିବା ପରେ ତଟରକ୍ଷୀ ବାହିନୀ ନୌକାଟିକୁ ଅଟକାଇ ତଲାସି ନେବା ବେଳେ ଏହି ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଥିଲା। ଜବତ ନିଶାଦ୍ରବ୍ୟ, ନୌକା ଏବଂ ଅଟକ ୫ ଜଣ ପାକିସ୍ତାନୀ ସଦସ୍ୟଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇ ଅଣାଯାଇଛି। ବର୍ତ୍ତମାନ ମୁମ୍ବାଇରେ ଭାରତୀୟ ତଟରକ୍ଷୀ ବାହିନୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି), ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ), ଗୁଜରାଟ ଏଟିଏସ୍ ଏବଂ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ମିଳିତ ଭାବେ ଅଭିଯୁକ୍ତମାନଙ୍କୁ ପଚରାଉଚୁରା କରୁଛନ୍ତି। ଏହି ଡ୍ରଗ୍ସ ଖେପ୍ କେଉଁଠାରୁ ଆସିଥିଲା, ଏହାକୁ କାହା ପାଖକୁ ପଠାଯାଉଥିଲା ଏବଂ ଏହା ପଛରେ କେଉଁ ଅନ୍ତର୍ଜାତୀୟ ନେଟୱାର୍କ କାର୍ଯ୍ୟ କରୁଛି, ସେ ନେଇ ଖୋଳତାଡ଼ ଜାରି ରହିଛି।

Related Articles

Back to top button