Breaking Newsଓଡ଼ିଶା

ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟରେ ସୁଧାର, ହେବ DNA ଟେଷ୍ଟ

ନନ୍ଦନକାନନରେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଛି ଆଶ୍ୱସ୍ତିର ଖବର। ଓଡ଼ିଶାର ଜଳବାୟୁ ସେମାନଙ୍କୁ ସୁହାଇଥିବା ବେଳେ ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଏପରିକି ସେମାନଙ୍କ ଓଜନ ମଧ୍ୟ ବଢ଼ିଥିବା ଜଣାପଡ଼ିଛି। ତେବେ ଓରାଙ୍ଗଉଟାନଙ୍କ ପ୍ରକୃତ ଉତ୍ପତ୍ତି ଓ ସେମାନେ କେଉଁ ଦେଶରୁ ଆସିଛନ୍ତି, ତାହା ଜାଣିବା ପାଇଁ ଖୁବଶୀଘ୍ର DNA ପରୀକ୍ଷା କରାଯିବ।ନନ୍ଦନକାନନରେ ଏବେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟ ଉପରେ ରହିଛି ବିଶେଷ ନଜର। ଓଡ଼ିଶାର ପରିବେଶ ଓ ଜଳବାୟୁ ସହ ସେମାନେ ଧୀରେ ଧୀରେ ଖାପ ଖୁଆଇ ନେଉଥିବା ବେଳେ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଥିବା ଜଣାପଡ଼ିଛି।

କେବଳ ସ୍ୱାସ୍ଥ୍ୟରେ ଉନ୍ନତି ନୁହେଁ, ସେମାନଙ୍କ ଓଜନ ମଧ୍ୟ ବଢ଼ିଛି। ଛୁଆଙ୍କ ଭଳି ଓରାଙ୍ଗଉଟାନଙ୍କର ସ୍ୱତନ୍ତ୍ର ଯତ୍ନ ନିଆଯାଉଛି। ୨୪ ଘଣ୍ଟିଆ ମନିଟରିଂ ସହ ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଓଜନ ଯାଞ୍ଚ କରାଯାଉଛି।ସେମାନଙ୍କ ଚିକିତ୍ସା ପାଇଁ ମହୀଶୂରରୁ ସ୍ୱତନ୍ତ୍ର ଡାକ୍ତର ଆସି ଚିକିତ୍ସା ଓ ନିରୀକ୍ଷଣ କରୁଛନ୍ତି। ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହେଲେ ତୁରନ୍ତ ପଦକ୍ଷେପ ନେବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି।

ଏପଟେ ଓରାଙ୍ଗଉଟାନମାନେ ପ୍ରକୃତରେ କେଉଁଠାରୁ ଆସିଛନ୍ତି, ସେନେଇ ଏବେ ଆରମ୍ଭ ହେବ ଅଧିକ ଅନୁସନ୍ଧାନ।ସେମାନଙ୍କ ଉତ୍ପତ୍ତି ଓ ଭୌଗୋଳିକ ପୃଷ୍ଠଭୂମି ସମ୍ପର୍କରେ ଅଧିକ ସ୍ପଷ୍ଟତା ପାଇଁ DNA ପରୀକ୍ଷା କରାଯିବ। ଏଥିପାଇଁ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି।ଖୁବଶୀଘ୍ର ଓରାଙ୍ଗଉଟାନଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ। DNA ରିପୋର୍ଟ ଆସିବା ପରେ ସେମାନଙ୍କ ଉତ୍ପତ୍ତି ଓ ମୂଳ ସ୍ଥାନ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ। ରିପୋର୍ଟ ମିଳିବା ପରେ ଏନେଇ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯିବ।

ଏପଟେ ଆଜି ନନ୍ଦନକାନନ ଗସ୍ତ କରିବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନନ୍ଦନକାନନରେ ପହଞ୍ଚି ସେ ଓରାଙ୍ଗଉଟାନଙ୍କୁ ଦେଖିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକାରୀମାନଙ୍କଠାରୁ ବୁଝିବେ।ତେବେ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟରେ ଆସିଥିବା ସୁଧାର ମଧ୍ୟରେ ଏବେ ସମସ୍ତଙ୍କ ନଜର ରହିଛି DNA ପରୀକ୍ଷା ରିପୋର୍ଟ ଉପରେ। ଏହି ରିପୋର୍ଟ ହିଁ ସେମାନଙ୍କ ଉତ୍ପତ୍ତି ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ଦେଇପାରିବ।

Related Articles

Back to top button