ମହାନଦୀରେ ଆସୁଛି ଛୋଟ ବନ୍ୟା: ୪ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା


କଟକ: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି, ଯାହା ଫଳରେ ମହାନଦୀରେ ଆଉ ଏକ ଛୋଟ ବନ୍ୟା ଆସିବାର ସମ୍ଭାବନା ଦେଖାଦେଇଛି। ଏହାର ପ୍ରଭାବରେ ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳ ଗୁଡ଼ିକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଆଗାମୀ ୨୪ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଏହିପରି ବନ୍ୟା ପରିସ୍ଥିତି ବଜାୟ ରହିବ। ଅପରପକ୍ଷରେ, ବୈତରଣୀ ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଉଥିବା ବେଳେ ଜଳକା ନଦୀର ଜଳସ୍ତର ସ୍ଥିର ରହିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ସ୍ଥିତିକୁ ନଜରରେ ରଖି ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆଉ କିଛି ଗେଟ୍ ଖୋଲାଯାଇପାରେ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ପରିସ୍ଥିତିର ମୋନିଟରିଂ ପାଇଁ ସମସ୍ତ ଇଞ୍ଜିନିୟରଙ୍କୁ ସଜାଗ ରଖାଯିବା ସହ ନଦୀବନ୍ଧ ଗୁଡ଼ିକରେ ନାଇଟ୍ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି।




