Uncategorized

ଲଗାଣ ବର୍ଷାରେ ବେହାଲ ଖୋରଧା: ବୁଡ଼ିଲା ଏକର ଏକର ଧାନଜମି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଖୋରଧା ଜିଲ୍ଲାରେ ଲଗାତାର ବର୍ଷା ଜାରି ରହିଛି, ଯାହାକି ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ବେହାଲ କରିଦେଇଛି। ଲଗାଣ ବର୍ଷା ଯୋଗୁଁ ଅଞ୍ଚଳର ଏକର ଏକର ଧାନଜମି ଜଳମଗ୍ନ ହୋଇଥିବା ବେଳେ ସାଗରଗୁଆ-ବାଳସିଙ୍ଗ ମୁଖ୍ୟ ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ଏହି ରୁଟ୍‌ରେ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି। ରାସ୍ତା ଉପରେ ପାଣିର ପ୍ରଖର ସ୍ରୋତ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସ୍କୁଲ ଛାତ୍ରଛାତ୍ରୀ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବାହାରୁଥିବା ସ୍ଥାନୀୟ ଲୋକେ ଏବଂ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳଟି ତଳିଆ ହୋଇଥିବାରୁ ଏହା ପ୍ରାୟତଃ ବନ୍ୟାପ୍ରବଣ ସମସ୍ୟା ଦେଇ ଗତି କରିଥାଏ। ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥାର ଅଭାବରୁ ରାସ୍ତାରେ ଦୀର୍ଘ ସମୟ ଧରି ପାଣି ଜମି ରହୁଛି। ତୁରନ୍ତ ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ ନେବା ସହ ଏହି ରାସ୍ତା ସମସ୍ୟାର ଏକ ସ୍ଥାୟୀ ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।

Related Articles

Back to top button