ଓଡ଼ିଶାରାଜନୀତି

ପର୍ଯ୍ୟଟକଙ୍କୁ ମିଳୁନି ସୁରକ୍ଷା । ସରକାରଙ୍କ ଉପରେ ବର୍ଷିଲା ବିଜେଡି।

ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ | ଯେଉଁଥିପାଇଁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଛି ବୋଲି ବିଜେଡି କହିଛି । କାରଣ କିଛି ଦିନ ତଳେ ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ତାଙ୍କର ଯୁବକ ସାଥୀଙ୍କ ଉପରେ ଅତ୍ୟାଚାର ହୋଇଥିଲା | ଆଉ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ହେଲେ ଏହି ୭୨ ଘଣ୍ଟା ପୁରି ନଥିବା ବେଳେ, ପୁରୀର ଏକ ରେଷ୍ଟୁରାଣ୍ଟରେ ଏକ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ମରାଯିବା ଘଟଣା ଓ ଗଣମାଧ୍ୟମ ସମ୍ମୁଖରେ ଏହି ଦମ୍ପତି ଜୀବନ ଥିବା ଯାଏଁ ଆଉ କେବେ ପୁରୀ ଆସିବେ ନାହିଁ ବୋଲି ମନ୍ତବ୍ୟ ଦେବା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ପ୍ରଦର୍ଷିତ କରୁଛି ବୋଲି ବିଜୁ ଜନତା ଦଳ କହିଛି ।

ନବୀନ ସରକାରଙ୍କ ସମୟରେ ରାଜ୍ୟର ପର୍ଯ୍ୟଟନସ୍ଥଳୀ ଗୁଡିକର ନବୀକରଣ କରି ଅଧିକ ଆକର୍ଷଣୀୟ କରାଯାଇଥିଲା । ଏହାଛଡା ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା ରାଜ୍ୟରେ ବିଜେପି କ୍ଷମତାସୀନ ହେବା ପରଠାରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋପାଳପୁର ବେଳାଭୂମି ଠାରେ ଜଣେ ଯୁବତୀକୁ ଗଣଦୁଷ୍କର୍ମ ଘଟଣାରେ ଓଡିଶାକୁ ସମଗ୍ର ଦେଶରେ ଓ ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହେବାକୁ ପଡିଥିଲା । ଆମେରିକା ଏକ ଆଡ଼ଭାଇଜରି ଜାରି କରି ତାଙ୍କ ଦେଶର ନାଗରିକ ମାନଙ୍କୁ ଓଡିଶା ଆସିବା ପାଇଁ ବାରଣ କରିଥିଲା ।

ଗୋପାଳପୁର ଘଟଣା ପରେ ବାଲି ହରଚଣ୍ଡୀ, ଧଉଳି, ରାୟଗଡା ଇତ୍ୟାଦି ଜାଗାରେ ସମାନ ପ୍ରକାରର ଘଟଣା ଘଟିଥିଲା । ଗତ ତିନି ଦିନ ଭିତରେ ଏହିପରି ଦୁଇ ଦୁଇଟି ଘଟଣା ଲୋକଲୋଚନକୁ ଆସିଲାଣି । ପ୍ରଥମେ ଢେଙ୍କାନାଳ ଜିଲ୍ଲାର କପିଳାସ ଠାରେ ଜଣେ ଯୁବତୀ ଓ ତାଙ୍କର ଯୁବକ ସାଥୀ ଅକଥନୀୟ ନିର୍ଯାତନାର ଶିକାର ହୋଇଥିଲେ । ଏହାପରେ ପୁରୀ ସହରର ଏକ ରେଷ୍ଟୁରାଣ୍ଟରେ କର୍ଣ୍ଣାଟକରୁ ଆସିଥିବା ଏକ ଦମ୍ପତିଙ୍କ ଉପରେ ମାଡ଼ ମରାଯାଇଥିବା ଅଭିଯୋଗ ଆସିଛି ।ତେଣୁ ରାଜ୍ୟକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ବିଜେଡି ଦାବି କରୁଛି ।

Related Articles

Back to top button