
ଓଡ଼ିଶାରେ ଶେଷ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ—SIR ୨୦୨୬।ନିର୍ବାଚନ କମିଶନଙ୍କ ନିର୍ଦ୍ଧାରିତ ପ୍ରକ୍ରିୟା ପରେ ଆଜି ପ୍ରକାଶ ପାଇଛି ଚୂଡ଼ାନ୍ତ ଭୋଟର ତାଲିକା। ଜୁଲାଇ ୧, ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧରି ଏହି ସଂଶୋଧନ ପ୍ରକ୍ରିୟା କରାଯାଇଥିଲା।ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭୁବନେଶ୍ୱରରେ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଲନ।
ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ସହ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏବଂ ଅଯୋଗ୍ୟ ନାମ ବାଦ୍ ଦେବା ଉଦ୍ଦେଶ୍ୟରେ SIR ପ୍ରକ୍ରିୟା ହୋଇଥିଲା। ECIର ନିର୍ଦ୍ଦେଶ ଅନୁସାରେ ଏହି ପ୍ରକ୍ରିୟାରେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ ଓ ଯାଞ୍ଚ କରାଯାଇଥିଲା।ଦାବି ଓ ଆପତ୍ତି ଦାଖଲ ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିଲା। ସଂଶୋଧିତ ସୂଚୀ ଅନୁସାରେ ଅଭିଯୋଗ ଓ ଦାବିର ଶୁଣାଣି ପରେ ୨୧ ସେପ୍ଟେମ୍ବରରେ ଚୂଡ଼ାନ୍ତ ତାଲିକା ପ୍ରକାଶର ତାରିଖ ଧାର୍ଯ୍ୟ ହୋଇଥିଲା।
ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଉପସ୍ଥିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଚୂଡ଼ାନ୍ତ ଭୋଟର ତାଲିକାର ଅବିକଳ ସଫ୍ଟ ଓ ହାର୍ଡ କପି ପ୍ରଦାନ କରିଛନ୍ତି।ଏହାସହ ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ ହୋଇଛି। ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଓ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ରହିବ।
ଚୂଡ଼ାନ୍ତ ତାଲିକା ଅନଲାଇନରେ ମଧ୍ୟ ଉପଲବ୍ଧ ରହିଛି। ଭୋଟରମାନେ ନିଜ ନାମ ଓ ଭୋଟର ସମ୍ପର୍କିତ ତଥ୍ୟ ଯାଞ୍ଚ କରିପାରିବେ ECIର Voters’ Services Portalରେ।ଚୂଡ଼ାନ୍ତ ତାଲିକା ପ୍ରକାଶ ପରେ ରାଜ୍ୟର ମୋଟ ଭୋଟର ସଂଖ୍ୟା ୩ କୋଟି ୧୬ ଲକ୍ଷ ୩୨ ହଜାର ୭୫୪ ଥିବା CEO କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। SIR ପ୍ରକ୍ରିୟାରେ ଡ୍ରାଫ୍ଟ ତାଲିକାରୁ ୪୪ ହଜାର ୭୭୭ ଭୋଟରଙ୍କ ନାମ ବାଦ୍ ଦିଆଯାଇଥିବା ମଧ୍ୟ ସୂଚନା ଦିଆଯାଇଛି।




