ଓଡ଼ିଶାରାଜନୀତି

ସୁରୁଖୁରୁରେ ଗୃହ ଚଳାଇବାକୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ

ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନ ଆସନ୍ତା ୨୨ ତାରିଖରୁ ଅନୁଷ୍ଠିତ ହେବ। ଏହା ପୂର୍ବରୁ ସୋମବାର ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ଣ ୧୧ଟା ୩୦ରେ ବସିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହୋଇଛି। ସର୍ବଦଳୀୟ ବୈଠକରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଜେଡିର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଆଲୋଚନା କରିଛନ୍ତି ।

ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିବେ ବାଚସ୍ପତି। ଗୃହ ସୁରୁଖୁରୁରେ ଚାଲିବା ପାଇଁ ସହଯୋଗ ଲୋଡ଼ିବେ। ତେବେ ମୌସୁମୀ ଅଧିବେଶନ ବେଶ ସରଗରମ ରହିପାରେ। ଏକାଧିକ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ଏମଏମଡିଆର ସଂଶୋଧନ, ବହି ତ୍ରୁଟି, ବନ୍ୟା ପରିଚାଳନା, ଆଇନ ଶୃଙ୍ଖଳାକୁ ପ୍ରମୁଖ ପ୍ରସଙ୍ଗ ଭାବେ ବିଧାନସଭାରେ ଉଠାଇବେ କଂଗ୍ରେସ ଆଉ ବିଜେଡି।

ଅପରାହ୍ନରେ ରହିଛି ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରିବେ ରଣନୀତି। ତା ସହ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ ମଧ୍ୟ ପ୍ରସ୍ତୁତ। ବିଧାୟକ ଦଳ ବୈଠକ କରି କାଉଣ୍ଟର ଷ୍ଟ୍ରାଟେଜି ତିଆରି କରିବ ବିଜେପି। ମୌସୁମୀ ଅଧିବେଶନରେ ୯ଟି କାର୍ଯ୍ୟଦିବସ ଥିବା ବେଳେ ବେଶ ସରଗରମ ରହିପାରେ ଅଧିବେଶନ।

Related Articles

Back to top button