ପୁଞ୍ଜି ନିବେଶ ଆଣିବାରେ ବିଜେପି ସରକାର ସଫଳ | ୨୦୨୯ ସୁଦ୍ଧା ଓଡ଼ିଶାକୁ ୨୦୦ କୋଟି ପୁଞ୍ଜି ଆସିବ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରରେ ଆଜି ବୈପ୍ଲବିକ ପରିବର୍ତନ ହୋଇଛି । ବ୍ୟାଙ୍କ ଅଫ ବରୋଦାର ଇକୋନୋମିକ ରିସର୍ଚ୍ଚ ଡିପାର୍ଟମେଂଟର ତଥ୍ୟ ଅନୁସାରେ ଏପ୍ରିଲ ୧ ରୁ ୫ ଅଗଷ୍ଟ ୨୦୨୬ ଭାରତକୁ ୨୬.୭୫ ଲକ୍ଷ କୋଟି ଟଙ୍କା ଆସିବ ବୋଲି ଘୋଷଣା ହୋଇଥିଲା । ସେଥିରୁ ଓଡ଼ିଶାର ଭାଗ ଥିଲା ୨.୪ ଲକ୍ଷ କୋଟି ଟଙ୍କା । ଭାରତର ଜନସଂଖ୍ୟାର ୩.୩ ଶତକଡ଼ା ହେଉଛି ଓଡ଼ିଶାର ଜନସଂଖ୍ୟା । ତେଣୁ ଜନସଂଖ୍ୟା ଅନୁପାତ ଦୃଷ୍ଟିରୁ ଆମେ ୨୬.୭୫ ଲକ୍ଷ କୋଟି ଟଙ୍କାର ୩.୩ ଶତକଡ଼ା ପାଇବାକୁ ହକ୍ଦାର । କିନ୍ତୁ ପାଇଛୁ ୨.୪ ଲକ୍ଷ କୋଟି ଟଙ୍କା, ଯାହାକି ଭାରତକୁ ଆସିଥିବା ପୁଞ୍ଜିନିବେଶର ୯ ଶତକଡ଼ା । ଅର୍ଥାତ ଆମର ଜନସଂଖ୍ୟା ଅନୁପାତର ତାହା ହେଉଛି ୨.୬ ଗୁଣ ଅଧିକ ।
ସେହିପରି ୨୦୨୫ ଏପ୍ରିଲରୁ ୨୦୨୬ ଡିସେମ୍ବର ୯ ପର୍ଯ୍ୟନ୍ତ ଭାରତକୁ ୨୬.୬୨ ଲକ୍ଷ କୋଟି ଟଙ୍କା ନିବେଶର ଘୋଷଣା ହୋଇଛି । ସେଥିରୁ ଓଡ଼ିଶାର ଭାଗ ୩.୪୯ ଲକ୍ଷ କୋଟି ଟଙ୍କା । ତାହା ଭାରତକୁ ଆସିଥିବା ନିବେଶର ୧୩.୧ ଶତକଡ଼ା ଏବଂ ଆନ୍ଧ୍ର ପରେ ଦ୍ୱିତୀୟ ସର୍ବବୃହତ ଘୋଷଣା । ଏ ଦୃଷ୍ଟିକୋଣରୁ ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଗୁଜରାଟଠାରୁ ମଧ୍ୟ ଆଗରେ ଅଛୁ । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଯେତିକି ଘରୋଇ ନିବେଶ ଆସିଛି, ତାର ପରିମାଣ ହେଉଛି ୨୨.୫୮ ଲକ୍ଷ କୋଟି ଟଙ୍କା । ସେଥିରୁ ଓଡ଼ିଶାର ଭାଗ ହେଉଛି ୩.୪୧ ଲକ୍ଷ କୋଟି ଟଙ୍କା, ଯାହାକି ୧୫.୧ ଶତକଡ଼ା । ଏ ଦୃଷ୍ଟିକୋଣରୁ ଆମ ଆଗରେ କେବଳ ଆନ୍ଧ୍ରପ୍ରଦେଶ ରହିଛି । ଜନସଂଖ୍ୟା ଅନୁପାତରେ ଅଧିକ ପୁଞ୍ଜି ନିବେଶ ଆଣିବାରେ ବିଜେପି ସରକାର ସଫଳ ହୋଇଛି ।
ଡିପାର୍ଟମେଂଟ୍ ଅଫ୍ ପ୍ରମୋସନ ଅଫ୍ ଇଣ୍ଡଷ୍ଟ୍ରି ଆଣ୍ଡ୍ ଇନ୍ଟରନାଲ ଟ୍ର୍ରେଡ୍ର ବୈଦେଶିକ ପ୍ରତ୍ୟକ୍ଷ ପୁଞ୍ଜି ନିବେଶର ତଥ୍ୟ ଅନୁସାରେ ଅକ୍ଟୋବର ୨୦୧୯ ରୁ ଡିସେମ୍ବର ୨୦୨୪, ଯେତେବେଳେ ବିଜୁ ଜନତା ଦଳର ସରକାର ଥିଲା, ସେ ସମୟରେ ଓଡ଼ିଶାକୁ ଆସିଥିଲା ୧୭୨.୭୯ ନିୟୁତ ଡଲାର । ସେଥିରେ ଓଡ଼ିଶାର ସ୍ଥିତି ୨୧ ତମ । ଅର୍ଥାତ୍ ନଗଣ୍ୟ ୦.୦୬% । ସେହି ସମୟରେ ମହାରାଷ୍ଟ୍ରକୁ ୩୧.୩୬, କର୍ଣ୍ଣାଟକକୁ ୨୦.୩୧, ଗୁଜରାଟକୁ ୧୬.୩୭ ପ୍ରତିଶତ ଆସିଥିବା ବେଳେ ଓଡ଼ିଶାର ସ୍ଥିତ ଅତି ନଗଣ୍ୟ ଥିଲା । ଏଥିରୁ ବିଜେଡି ସରକାର ସମୟରେ ଓଡ଼ିଶାର ଦୁର୍ବଳ ସ୍ଥିତି ସ୍ପଷ୍ଟ ବାରି ହୋଇପଡୁଛି । ତେଣୁ ନିଜ ବିଫଳତାର ନିକିତିରେ ଓଡ଼ିଶାର ଶିଳ୍ପାୟନକୁ ବିଜେଡି ନ ତଉଲୁ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବତ୍ର ପଣ୍ଡା କହିଛନ୍ତି ।




