
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ଟି ସରକାରୀ ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଖବର ଲୋକଲୋଚନକୁ ଆସିବା ପରେ ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ନିଜକୁ ଲୋକଙ୍କ ସରକାର ବୋଲି ଦାବି କରୁଥିବା ରାଜ୍ୟ ବିଜେପି ସରକାର ମାତ୍ର ୨ ବର୍ଷରେ ୧,୩୮,୦୦୦ କୋଟି ଟଙ୍କା ଋଣ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାର ମରାମତି ଓ ଉନ୍ନତିକରଣରେ ୩.୩ କୋଟି ଟଙ୍କା ଖର୍ଚ୍ଚ ହେବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।
ଓଡିଶା ପରି ଏକ ଗରିବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦୁଇ ଦୁଇଟି ଘରର ମରାମତି ଓ ଉନ୍ନତିକରଣ ପାଇଁ ୩.୩ କୋଟି ଟଙ୍କା ଖର୍ଚ୍ଚ ହେବା ଏକ ଚିନ୍ତାଜନକ ବିଷୟ । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ବେଳେ, ପ୍ରଥମେ ଦୁଇ ଦୁଇଟି ଘର ରଖିବା ଓ ଏହାର ମରାମତି ଓ ଉନ୍ନତିକରଣ ପାଇଁ ରାଜ୍ୟ ରାଜକୋଷରୁ ବିପୁଳ ଟଙ୍କା ବ୍ୟୟ କରାଯିବା, ମୁଖ୍ୟମନ୍ତ୍ରୀଙ୍କ ବିଳାସପୂର୍ଣ୍ଣ ମାନସିକତାକୁ ପ୍ରଦର୍ଶିତ କରୁଛି । ସୂଚନା ଅଧିକାର ଆଇନ ବଳରେ କେଉଁ କେଉଁ କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନର ଉତ୍ତରରେ ଏହି ଉତ୍ତର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବିପନ୍ନ ହେବ ଓ ରାଜ୍ୟର କ୍ଷତି ହେବ ବୋଲି ଅବାନ୍ତର ଯୁକ୍ତି ଦିଆଯାଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, କେଉଁ କାରଣ ପାଇଁ ରାଜ୍ୟ ସରକାର ଏହି ତଥ୍ୟ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ?
ଅଢେଇ ବର୍ଷର ବିଜେପି ଶାସନରେ, ରାଜ୍ୟର ବିକାଶ ଠପ୍ ହୋଇଥିବା ବେଳେ ରାଜ୍ୟର ଆର୍ଥିକ ସ୍ଥିତି ବିଗିଡିଛି । ଗତ ୨ ବର୍ଷରେ ରାଜ୍ୟ ସରକାର ୧,୩୮,୦୦୦ କୋଟି ଟଙ୍କା ଋଣ କରିଛନ୍ତି । ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହିତ ମହିଳାଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇଛି । ସେହିପରି ନିତ୍ୟ ଆବଶ୍ୟକୀୟ ଜିନିଷର ଅହେତୁକ ଦର ବୃଦ୍ଧି, ଖଣିଜ ସମ୍ପଦର ହରିଲୁଟ୍, ବେକାରୀ ସମସ୍ୟା ବୃଦ୍ଧି, ଦାଦନ ସମସ୍ୟାରେ ବୃଦ୍ଧି ଇତ୍ୟାଦି କାରଣରୁ ରାଜ୍ୟବାସୀ ଅତିଷ୍ଠ ହେଲେଣି । ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଖବର କାଗଜ ଓ ହୋର୍ଡିଙ୍ଗ ମାଧ୍ୟମରେ ବଡ଼ ବଡ଼ ବିଜ୍ଞାପନ ଦେଇ ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି ବୋଲି କହି ବର୍ଷିଛନ୍ତି ବିଜେଡି ନେତା ଲେନିନ ମହାନ୍ତି ।




