ଦୁର୍ଦ୍ଦାନ୍ତ ମାଓନେତା ଅସୀମ ମଣ୍ଡଳ ଗିରଫ


ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଆସୁଥିବା ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଟପ୍ କ୍ୟାଡର ମାଓବାଦୀ ଅସୀମ ମଣ୍ଡଳ ଓରଫ୍ ଆକାଶ ଶେଷରେ ପୋଲିସ ଜାଲରେ ପଡ଼ିଛନ୍ତି। ପୂର୍ବ ମେଦିନୀପୁର ଜିଲ୍ଲାର ପୋତାଶପୁର ଅଞ୍ଚଳରୁ ସୀମାନ୍ତ ପୋଲିସ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବହୁ ସଂଘାତିକ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ଥିବା ଅସୀମଙ୍କୁ ଧରିବା ପାଇଁ ଝାଡ଼ଖଣ୍ଡ ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ମୋଟ ୨ କୋଟି ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଏଥିମଧ୍ୟରୁ ଓଡ଼ିଶା ସରକାର ୧ କୋଟି ୨୦ ଲକ୍ଷ ଏବଂ ଝାଡ଼ଖଣ୍ଡ ସରକାର ୧ କୋଟି ଟଙ୍କାର ଇନାମ୍ ରଖିଥିଲେ। ପଶ୍ଚିମ ମେଦିନୀପୁରର ଫୁଲଚକର ବାସିନ୍ଦା ଅସୀମ ୧୯୮୦ ଦଶକରେ ଛାତ୍ର ଜୀବନରୁ ଅତି-ବାମପନ୍ଥୀ କାର୍ଯ୍ୟକଳାପ ପ୍ରତି ଆକୃଷ୍ଟ ହୋଇଥିଲେ। ୨୦୦୪ରେ ମାଓବାଦୀ ସଂଗଠନ ଗଠନ ପରେ ସେ ଜଙ୍ଗଲମହଲ ଅଞ୍ଚଳରେ ସକ୍ରିୟ ହେବା ସହ ଐତିହାସିକ ଲାଲଗଡ଼ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୧୦ରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ କମିଟିର ସମ୍ପାଦକ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ସ୍ତ୍ରୀ ମଧ୍ୟ ନକ୍ସଲ ସଂଗଠନର ଜଣେ ସକ୍ରିୟ କର୍ମୀ ଥିଲେ, ଯାହାଙ୍କୁ ୨୦୧୦ରେ କୋଲକାତା ପୋଲିସ ଗିରଫ କରିଥିଲା। ଶାରୀରିକ ଅସୁସ୍ଥତା କାରଣରୁ ଅସୀମ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଉଥିବା ବେଳେ ଗୁଇନ୍ଦା ତଥ୍ୟ ଆଧାରରେ ତାଙ୍କୁ ଟ୍ରାକ୍ କରି ପୋଲିସ ଗିରଫ କରିଛି। ଅସୀମଙ୍କ ଗିରଫଦାରୀ ପରେ ସୀମାନ୍ତ ଅଞ୍ଚଳରେ ନକ୍ସଲ ସଂଗଠନର ମେରୁଦଣ୍ଡ ଭାଙ୍ଗିଯାଇଥିବା ଚର୍ଚ୍ଚା ହେଉଛି।




