ଆକାଶରେ ଭାରତର ଶକ୍ତି! ଚଳିତ ବର୍ଷ ଶେଷରୁ ହସ୍ତାନ୍ତର ହେବ LCA ମାର୍କ-୧ଏ

ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ଯୁଦ୍ଧବିମାନ LCA ମାର୍କ-୧ଏର ହସ୍ତାନ୍ତର ପ୍ରକ୍ରିୟା ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଛି।ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ବା HAL ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିମାନର ରାଡାର୍ ଏବଂ ଅସ୍ତ୍ରଶସ୍ତ୍ର ସଂଯୋଗ ସମ୍ପର୍କିତ ଶେଷ ପର୍ଯ୍ୟାୟ ପରୀକ୍ଷଣ ଏବେ ଚାଲିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ପରୀକ୍ଷଣ ଶେଷ ହେବାର ଲକ୍ଷ୍ୟ ରହିଛି।
ଭାରତୀୟ ବାୟୁସେନାର ଯୁଦ୍ଧବିମାନ ସ୍କ୍ୱାଡ୍ରନ୍ ସଂଖ୍ୟା ହ୍ରାସ ପାଉଥିବା ସମୟରେ, LCA ମାର୍କ-୧ଏକୁ ନେଇ ବଢ଼ିଛି ଆଶା। HALକୁ ମୋଟ ୧.୧ ଲକ୍ଷ କୋଟି ଟଙ୍କାର ୧୮୦ଟି ମାର୍କ-୧ଏ ଯୁଦ୍ଧବିମାନ ପାଇଁ ଦୁଇଟି ଅର୍ଡର ମିଳିଛି।୨୦୨୬-୨୭ ଆର୍ଥିକ ବର୍ଷରେ ବାୟୁସେନାକୁ ୧୦ଟି ଯୁଦ୍ଧବିମାନ ଯୋଗାଇବାକୁ ଲକ୍ଷ୍ୟ ରହିଛି। ଏଥିପାଇଁ ଆମେରିକାର GE Aerospaceରୁ ୧୦ଟି ଇଞ୍ଜିନ୍ ମଧ୍ୟ ମିଳିସାରିଛି।ତେବେ ପୂର୍ବରୁ ଇଞ୍ଜିନ୍ ଯୋଗାଣରେ ବିଳମ୍ବ ହେବାରୁ ପ୍ରଥମ ବିମାନର ହସ୍ତାନ୍ତର ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ଏବେ ଉତ୍ପାଦନ ଗତି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଉଛି।
HALର ବାର୍ଷିକ ୨୪ଟି ଯୁଦ୍ଧବିମାନ ନିର୍ମାଣ କ୍ଷମତା ରହିଛି। ଏହି କ୍ଷମତାକୁ ଆଧାର କରି ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ସମସ୍ତ ବିମାନ ଯୋଗାଇବାର ଲକ୍ଷ୍ୟ ରଖାଯାଇଛି।ଏପଟେ ୨୦୨୫ର ଅର୍ଡର ଅଧୀନରେ ନିର୍ମିତ ହେବାକୁ ଥିବା ୯୭ଟି ବିମାନରେ ସ୍ୱଦେଶୀ ଆଡଭାନ୍ସଡ୍ ରାଡାର୍ ଏବଂ ‘ସ୍ୱୟଂ ରକ୍ଷା କବଚ’ ଇଲେକ୍ଟ୍ରୋନିକ୍ ୱାରଫେୟାର୍ ସିଷ୍ଟମ୍ ବ୍ୟବହାର କରାଯିବ। ଅର୍ଥାତ୍, ଭାରତୀୟ ଯୁଦ୍ଧବିମାନରେ ବଢ଼ିବ ସ୍ୱଦେଶୀ ପ୍ରଯୁକ୍ତିର ଭୂମିକା।କେବଳ ମାର୍କ-୧ଏ ନୁହେଁ, ଏହା ପରେ ଆସୁଛି ଆହୁରି ଉନ୍ନତ ସଂସ୍କରଣ।
HALର LCA ମାର୍କ-୨ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି। ଏହାର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ୨୦୨୭ ଶେଷ ସୁଦ୍ଧା କରାଯିବାକୁ ଲକ୍ଷ୍ୟ ରହିଛି।ତେବେ ସ୍ୱଦେଶୀ ଜ୍ଞାନକୌଶଳ, ଆଧୁନିକ ରାଡାର୍ ଓ ଇଲେକ୍ଟ୍ରୋନିକ୍ ୱାରଫେୟାର୍ କ୍ଷମତା ସହ ଭାରତୀୟ ଯୁଦ୍ଧବିମାନ କାର୍ଯ୍ୟକ୍ରମ ଏବେ ଆଉ ଏକ ପର୍ଯ୍ୟାୟକୁ ଯିବାକୁ ପ୍ରସ୍ତୁତ। LCA ମାର୍କ-୧ଏର ହସ୍ତାନ୍ତର ଆରମ୍ଭ ହେବା ସହ ବାୟୁସେନାରେ ସ୍ୱଦେଶୀ ଯୁଦ୍ଧବିମାନର ଭୂମିକା ଆହୁରି ବଢ଼ିବ।




