
ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ହୁଲୁସ୍ତୁଲ | ଆଉ ଏହାରି ଭିତରେ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ | ତାଙ୍କର ପୂର୍ବତନ ପିଏ ଏବଂ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ମାଆ ହସିରାଣୀ ରଥଙ୍କୁ ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ କରିଛି ବିଜେପି । ମଙ୍ଗଳବାର ହାସିରାଣୀ ତାଙ୍କର ନାମାଙ୍କନ ଦାଖଲ କରିବେ। ନାମାଙ୍କନ ସମୟରେ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ନିର୍ବାଚନ କମିସନ ଅକ୍ଟୋବର ୬ ତାରିଖରେ ନନ୍ଦିଗ୍ରାମ ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ଘୋଷଣା କରିବା ପରେ ହାସିରାଣୀ ସମ୍ଭାବ୍ୟ ବିଜେପି ପ୍ରାର୍ଥୀଙ୍କ ଦୌଡ଼ରେ ଆଗୁଆ ଥିଲେ।
ନନ୍ଦିଗ୍ରାମ ଆସନ ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼। ଏଥର ମୁଖ୍ୟମନ୍ତ୍ରୀ ତାଙ୍କର ପାରମ୍ପରିକ ନନ୍ଦିଗ୍ରାମ ଆସନ ସହିତ ଭବାନୀପୁରରୁ ଜିତିଥିଲେ। ଭବାନୀପୁରରେ ସେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ | ଆଉ ମୁଖ୍ୟମନ୍ତ୍ରୀ ହେବା ପରେ ସେ ନନ୍ଦିଗ୍ରାମ ଆସନ ଛାଡି ଦେଇଥିଲେ। ଏବେ ସେଠାରେ ଉପନିର୍ବାଚନ ହେଉଛି।ଟିଏମସିର ଉଭୟ ଗୋଷ୍ଠୀ ସହିତ କଂଗ୍ରେସ ଏବଂ ବାମପନ୍ଥୀମାନେ ମଧ୍ୟ ନନ୍ଦୀଗ୍ରାମ ଏବଂ ରାଜନଗର ଆସନରେ ପ୍ରାର୍ଥୀ ଦେଇଛନ୍ତି। ମମତା ବାନାର୍ଜୀଙ୍କ ଟିଏମସି ନନ୍ଦୀଗ୍ରାମରୁ ସଞ୍ଚିତା ପ୍ରଧାନ ଦେଙ୍କୁ ପ୍ରାର୍ଥୀ କରିଛି। ବିଦ୍ରୋହୀ ଗୋଷ୍ଠୀ ମହମ୍ମଦ ଏତେଶାମୁଲ ହକଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ମିଲନ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି, ଏବଂ ସିପିଆଇ ଶାନ୍ତି ଗୋପାଳ ଗିରିଙ୍କୁ ପ୍ରାର୍ଥୀ କରିଛି।




