୨ ହଜାର ଟଙ୍କା ପର୍ୟ୍ୟନ୍ତ ଲାଗିବନି ଶୁଳ୍କ

ଏବେ ଘରେ ଘରେ ସ୍ମାର୍ଟ ଫୋନ | ଆଉ ଯାହାକୁ ଦେଖିବ ଅନଲାଇନ ପେମେଣ୍ଟ | ପକେଟରୁ ନୋଟ୍ ବାହାର କରିବାକୁ ଏବେ କଷ୍ଟ ହେଉଛି | କାରଣ QR କୋଡ୍ ସ୍କାନ୍ କଲେ କାମ ଶେଷ ହୋଇଯାଉଛି | କିନ୍ତୁ ଏହି ଡିଜିଟାଲ୍ ଅଭ୍ୟାସ ଭିତରେ ଯଦି ଚାର୍ଜ ଲାଗିବାର ଚିନ୍ତା ଆସିଲା, ତାହାହେଲେ କଣ କରିବେ? ନିଶ୍ଚିତ ଗ୍ରାହକ ଟିକେ ପଛ ଘୁଞ୍ଚା ଦେବେ। ହେଲେ ଏବେ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି।
କିନ୍ତୁ ଏବେ ୨ ହଜାର ଟଙ୍କା ପର୍ୟ୍ୟନ୍ତ ୟୁପିଆଇ କାରବାରରେ ଲାଗିବନି ଶୁଳ୍କ। ୟୁପିଆଇ ଓ ଭାରତୀୟ ଜାତୀୟ ପେମେଣ୍ଟ କର୍ପୋରେସନ୍ରେ ବର୍ତ୍ତମାନ ଲାଗୁଥିବା ନିୟମ ଅନୁସାରେ ୨ ହଜାର ଟଙ୍କା ପର୍ୟ୍ୟନ୍ତ କୌଣସି ଶୁଳ୍କ ଲାଗିବ ନାହିଁ। ୟୁପିଆଇ ଏବଂ ରୁପେ ଡେବିଟ୍ କାର୍ଡ ଜରିଆରେ ହେଉଥିବା ପେମେଣ୍ଟକୁ ନେଇ ନୂଆ ନିୟମ ଜାରି କରାଯାଇଛି। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ଏହି ନିୟମ ଟଙ୍କା ପଠାଉଥିବା ବ୍ୟକ୍ତିଙ୍କ ସହ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ପାଇଁ ଲାଗୁ ହେବ। ସରକାରଙ୍କର ଏ ବିଜ୍ଞପ୍ତି ଏକ ଦ୍ବନ୍ଦ୍ବ ସୃଷ୍ଟି କରିଛି।
ଏକ ନିର୍ଦ୍ଦିଷ୍ଟ ପରିମାଣର ପେମେଣ୍ଟ ଉପରେ ଶୁଳ୍କ ଲାଗିବ ନାହିଁ ବୋଲି ସରକାର ସ୍ପଷ୍ଟ କରିବା ପରେ ତା ଠାରୁ ଅଧିକ ମୂଲ୍ୟର ପେମେଣ୍ଟ ଉପରେ ବ୍ୟାଙ୍କ୍ ଏବଂ ଅନ୍ୟ ଆର୍ଥିକ ସଂସ୍ଥା ଶୁଳ୍କ ଲଗାଇବା ଅନୁମତି ପାଇପାରନ୍ତି ବୋଲି କୁହାଯାଉଛି। ୟୁପିଆଇ କାରବାର ଉପରେ ଶୁଳ୍କ ଲଗାଇବା ପ୍ରସଙ୍ଗ କିଛିଦିନ ତଳେ ଚର୍ଚ୍ଚାରେ ଥିଲା। ଏବେ ସରକାରଙ୍କ ଏ ବିଜ୍ଞପ୍ତିକୁ ନେଇ ଗ୍ରାହକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।




