ନୂଆଁଖାଇ ଆନନ୍ଦରେ ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ


ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ‘ନୂଆଁଖାଇ’ ପାଇଁ ଆଜି ଘରେ ଘରେ ଉତ୍ସବର ମାହୋଲ। ନୂଆ ଧାନ, ନୂଆ ଆଶା ଏବଂ ନୂଆ ଉତ୍ସାହକୁ ନେଇ ଚାରିଆଡ଼େ ଆନନ୍ଦ ଓ ଉଲ୍ଲାସ ଖେଳିଯାଇଛି। ଚାଷ, ମାଟି ଓ ମଣିଷ ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ପ୍ରତୀକ ହେଉଛି ଏହି ପର୍ବ। ନିଜ ପରିଶ୍ରମର ପ୍ରଥମ ଫସଲକୁ ଗ୍ରହଣ କରିବା ପୂର୍ବରୁ ଚାଷୀ ଇଷ୍ଟଦେବୀଙ୍କୁ ସମର୍ପଣ କରି କୃତଜ୍ଞତା ଜଣାଇଥାଏ। ନୂଆଁଖାଇର ପ୍ରମୁଖ ଆକର୍ଷଣ କେନ୍ଦ୍ର ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀଙ୍କ ପୀଠରେ ଶୁଭଲଗ୍ନ (ସକାଳ ୯ଟା ୪୦ରୁ ୯ଟା ୫୪) ମଧ୍ୟରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଅର୍ପଣ କରାଯାଇଛି। ମା’ଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନିଜ ଇଷ୍ଟଦେବତା ଓ ଗ୍ରାମଦେବୀଙ୍କୁ ନବାନ୍ନ ସମର୍ପଣ କରାଯାଇ ପରିବାରର ସମସ୍ତ ସଦସ୍ୟ ଏକାଠି ନୂଆ ଅନ୍ନ ଗ୍ରହଣ କରିଛନ୍ତି। ‘ନୂଆଁଖାଇ’ର ଶାବ୍ଦିକ ଅର୍ଥ ‘ନୂଆ ଅନ୍ନ ଭକ୍ଷଣ’ ହୋଇଥିଲେ ହେଁ ଏହାର ମହତ୍ତ୍ୱ କେବଳ ଫସଲ ମଧ୍ୟରେ ସୀମିତ ନୁହେଁ। ଏହି ପର୍ବ ପରିବାରକୁ ଏକାଠି କରେ, ଭାଇଚାରା ବୃଦ୍ଧି କରେ ଏବଂ ପୁରୁଣା ମନୋମାଳିନ୍ୟ ଭୁଲି ନୂଆ ସମ୍ପର୍କ ସୃଷ୍ଟି କରିବାର ସନ୍ଦେଶ ଦିଏ।




