ପୁଣି ଅଶାନ୍ତ ମଣିପୁର ! ଶାନ୍ତି ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ |

ପୁଣି ଅଶାନ୍ତ ହୋଇପଡିଛି ମଣିପୁର | ଗତ ୨୪ ଘଣ୍ଟାରେ କୁକୀ ସମ୍ପ୍ରଦାୟର ଚାରିଜଣଙ୍କୁ ହତ୍ୟା | ଏହି ଅଭାବନୀୟ ଘଟଣା ଘଟିଛି ତାମେଙ୍ଗଲୋଙ୍ଗ ଏବଂ ନୋନି ଜିଲ୍ଲାରେ | ହଁ ଆଂଜ୍ଞା ତାମେଙ୍ଗଲୋଙ୍ଗ ଜିଲ୍ଲାର କୈମାଇ ଥାନା ଅଧୀନ ଟୋଲେନ୍ କୁକୀ ଗାଁରେ ଏକ ଘର ଉପରେ ସନ୍ଦିଗ୍ଧ ଉଗ୍ରବାଦୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ଏହି ଆକ୍ରମଣରେ ମହିଳାଙ୍କ ସ୍ୱାମୀ ଏବଂ ତାଙ୍କ ୬ ବର୍ଷର ପୁଅ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆସାମର ସିଲଚର ନିଆଯାଉଥିବା ବେଳେ ରାସ୍ତାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହତ ଶିଶୁର ଚିକିତ୍ସା ଜାରି ରହିଛି ।ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷା ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ନେଇଥିଲେ ।ସେହିପରି ନୋନି ଜିଲ୍ଲାର ନୁଙ୍ଗବା ଥାନା ଅଧୀନ ଲୋଙ୍ଗପି ଗାଁରେ ମଧ୍ୟ ଘଟିଛି ଆଉ ଏକ ରକ୍ତାକ୍ତ ଆକ୍ରମଣ ।
ସଶସ୍ତ୍ର ଉଗ୍ରବାଦୀମାନେ ଅତର୍କିତ ଗୁଳିଚାଳନା କରିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁଇଟି ଘଟଣାରେ ମୃତ ସମସ୍ତ ୪ ଜଣ କୁକୀ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।ଏହି ଆକ୍ରମଣ ପଛରେ ନାଗା ବିଦ୍ରୋହୀ ଗୋଷ୍ଠୀ ଏନଏସସିଏନ୍ ଏବଂ ଜେଡ଼ିୟୁଏଫ୍ର ଭୂମିକା ଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଗଭୀର ନିନ୍ଦା ପ୍ରକାଶ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂହ । ରାଜ୍ୟରେ ଶାନ୍ତି ଓ ସଦଭାବ ବଜାୟ ରଖିବା ସହ ଉତ୍ତେଜନା ନବଢ଼ାଇବାକୁ ସେ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।
ମଣିପୁରରେ ପୁଣି ହିଂସା ମୁଣ୍ଡ ଟେକିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଘଟଣାସ୍ଥଳରେ ସୁରକ୍ଷାବାହିନୀର ନଜରଦାରୀ ବଢ଼ାଯାଇଥିବା ବେଳେ, ହିଂସା ପଛର ପ୍ରକୃତ କାରଣ ଏବଂ ଆକ୍ରମଣକାରୀଙ୍କ ପରିଚୟ ନେଇ ତଦନ୍ତ ଜାରି ରହିଛି ।




