୪ ଦିନ ବ୍ୟାଙ୍କିଂ ସେବା ପ୍ରଭାବିତ, ୭୦ ହଜାର କର୍ମଚାରୀ ସାମିଲ

ଦିନିକିଆ ଧର୍ମଘଟରେ ବ୍ୟାଙ୍କ । ବିଭିନ୍ନ ଦାବି ପୂରଣ ହେଉନଥିବା ଅଭିଯୋଗରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଜି ଏହି ଧର୍ମଘଟ ଡାକରା ଦିଆଯାଇଛି । ଫଳରେ ବ୍ୟାଙ୍କ ଗ୍ରାହକଙ୍କୁ ସେବା ପାଇବାରେ ଅସୁବିଧା ହେବା ଆଶଙ୍କା ରହିଛି ।ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ସ୍କିମ୍କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ ହେଉନଥିବାରୁ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ଏହି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଆସନ୍ତାକାଲି ମାସର ଦ୍ୱିତୀୟ ଶନିବାର ଏବଂ ତା’ପରେ ରବିବାର ଛୁଟି ରହିଛି । ସୋମବାର ଗଣେଶ ପୂଜା ଥିବାରୁ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ । ତେଣୁ ଲଗାତାର ୪ ଦିନ ଧରି ବ୍ୟାଙ୍କର ସାଧାରଣ ସେବା ପ୍ରଭାବିତ ହୋଇପାରେ । ଏହି ଧର୍ମଘଟର ପ୍ରଭାବ ମୁଖ୍ୟତଃ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକରେ ଦେଖାଦେଇପାରେ । ଓଡ଼ିଶାରୁ ପ୍ରାୟ ୭୦ ହଜାର ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେଉଥିବା ସୂଚନା ମିଳିଛି ।
ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଆଗକୁ ଆହୁରି ବଡ଼ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ଆଜିର ଦେଶବ୍ୟାପୀ ଧର୍ମଘଟ ପରେ ମଧ୍ୟ ଦାବି ପୂରଣ ନହେଲେ ଚଳିତ ମାସ ୨୮ରୁ ୩୦ ପର୍ଯ୍ୟନ୍ତ ଧର୍ମଘଟ କରାଯିବ । ଏହା ପରେ ଆସନ୍ତା ଅକ୍ଟୋବର ୨୬ରୁ ଆମରଣ ଅନଶନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।




