
୨୦୨୬ ମାର୍ଚ୍ଚ ମାସରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଏକ ତ୍ରିସ୍ତରୀୟ ହ୍ୱିପ୍ ଜାରି କରାଯାଇଥିଲା। ଦଳୀୟ ବିଧାୟକମାନଙ୍କ ମଧ୍ୟରେ କ୍ରସ୍ ଭୋଟିଂ (Cross-voting) ଆଶଙ୍କାକୁ ଦୂର କରିବା ଏବଂ ସମସ୍ତଙ୍କୁ ଏକାଠି ରଖିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଥିଲେ। ହ୍ୱିପ୍ ଜାରି କରି ସମସ୍ତ ବିଧାୟକଙ୍କୁ ମାର୍ଚ୍ଚ ୧୩ ରୁ ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ ରହିବାକୁ ଏବଂ ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଆୟୋଜିତ ବୈଠକ ଓ ପ୍ରଶିକ୍ଷଣ ଶିବିରରେ ବାଧ୍ୟତାମୂଳକ ଭାବେ ଯୋଗଦେବାକୁ କୁହାଯାଇଥିଲା।
ହେଲେ ହ୍ୱିପ୍ ସତ୍ତ୍ୱେ ବିଜେଡିର ୮ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ। ହ୍ୱିପ୍ ଉଲ୍ଲଙ୍ଘନ ଏବଂ ଦଳବିରୋଧୀ କାର୍ଯ୍ୟ ପାଇଁ ବିଜେଡି ପକ୍ଷରୁ ସେମାନଙ୍କ ମଧ୍ୟରୁ ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। ଏହା ସହିତ ସେହି ବିଧାୟକମାନଙ୍କର ସଭ୍ୟପଦ ରଦ୍ଦ କରିବା ପାଇଁ ବିଜେଡି ବିଧାନସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲା। ତେବେ ଟେକ୍ନିକାଲ୍ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ ।ଏବେ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଛି ବିଜେଡି । ଏହାକୁ ନେଇ ରାଜ୍ୟ ରାଜନୀତିରେ ପୁଣି ଥରେ ତେଜିଛି ରାଜ୍ୟସଭା କ୍ରସ୍ ଭୋଟିଂ ପଲିଟିକ୍ସ ।
ସେପଟେ ବିଜେଡିର ଆବେଦନକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି । ବିଜେଡିର ଅପିଲ୍ରେ କିଛି ଦମ୍ ନାହିଁ ବୋଲି ବିଜେପି କହିଛି। ରାଜ୍ୟସଭା ନିର୍ବାଚନରେ ବିବେକାନୁମୋଦିତ ଭୋଟ ହୋଇଥାଏ ଏବଂ ଏଥିରେ ହ୍ୱିପ୍ ଲାଗୁ ହୁଏ ନାହିଁ ବୋଲି ବିଜେପି ଯୁକ୍ତି ରଖିଛି । ଅନ୍ୟପଟେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି, ସେ ଆଇନ ଅନୁଯାୟୀ ଭୋଟ ଦେଇଛନ୍ତି । ତେଣୁ ଏଥିରେ କୌଣସି ଅସୁବିଧା ହେବାର ନାହିଁ ବୋଲି ସେ କହିଛନ୍ତି ।




