ନ୍ୟାୟିକ ବ୍ୟବସ୍ଥାର ଅନନ୍ୟ ପ୍ରତିଭା କୁଞ୍ଜବିହାରୀ ସାହାଣୀଙ୍କ ପରଲୋକ


କେନ୍ଦ୍ରାପଡ଼ା:୦୭.୦୯.୨୦୨୬ରିଖ ଅପରାହ୍ନ ୧ଘ.୪୦ମିନିଟ୍ ସମୟରେ କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଚେରିପଡା ଗ୍ରାମର ମୁରବୀ ତଥା ଭରତପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ କୁଞ୍ଜବିହାରୀ ସାହାଣୀଙ୍କ ପରଲୋକ ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ସେ ଜଣେ ବିଜୁ ଅନୁଗତ ବ୍ୟକ୍ତି ଭାବେ ପରିଚିତ ଅଟନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ୧୯୩୯ମସିହା ମେ ମାସ ଏକୋଇଶି ତାରିଖ ଦିନ ସେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ଯୁବକ ଅବସ୍ଥାରେ ବିଜୁବାବୁ ଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ରାଜନୈତିକ ମଇଦାନକୁ ଓହ୍ଲାଇ ୧୯୮୪ ମସିହାରେ ଭରତପୁର ପଞ୍ଚାୟତର ସରପଞ୍ଚଭାବେ ନିର୍ବାଚିତ ହୋଇଥିଲେ। ସେହିଦିନ ଠାରୁ ସେ ଭରତପୁର ପଞ୍ଚାୟତ ସମେତ ବିଭିନ୍ନ ଗ୍ରାମର ଲୋକମାନଙ୍କ ସମସ୍ୟାକୁ ଏଭଳି ସମାଧାନ କରୁଥିଲେ, ଫଳରେ ସାଧାରଣରେ ପ୍ରଶଂସା ପାଇଥିଲେ। ପଞ୍ଚାୟତ ର ଲୋକମାନଙ୍କ ସମସ୍ୟା ବୁଝୁ ବୁଝୁ ସମୟକ୍ରମେ ସେ ଜଣେ ନ୍ୟାୟିକ ବ୍ୟକ୍ତି ଭାବେ ପରିଚିତ ଲାଭକରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଅବିଭକ୍ତ କଟକ ଜିଲ୍ଲାକୁ ମଧ୍ୟ ନ୍ୟାୟ, ନିଶାପ କରିବାକୁ ଯାଉଥିଲେ। ୧୯୯୨ମସିହାରେ ପୁନଶ୍ଚ ଭରତପୁର ଗ୍ରାମପଞ୍ଚାୟତର ଜନସାଧାରଣ ମାନେ କୁଞ୍ଜବାବୁ ଙ୍କୁ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ନିମନ୍ତେ ସମିତି ସଭ୍ୟ ଭାବେ ନିର୍ବାଚିତ କରିଥିଲେ। ୧୯୯୨ରୁ ୧୯୯୭ମସିହା ପର୍ଯ୍ୟନ୍ତ ସେ ଲୋକମାନଙ୍କ ସେବା ନିଷ୍ଠାପର ଭାବେ କରୁଥିବାରୁ ତାଙ୍କର ଖ୍ୟାତି ସବୁଆଡ଼େ ପ୍ରଚାରିତ ହେଲା। ଫଳରେ ହିଡରେ, ବାଡ଼ରେ, ଭାଈ ଭାଈ ଏବଂ ପରିବାର ମଧ୍ୟରେ ଗଣ୍ଡଗୋଳ ଏବଂ ଜମିବାଡ଼ି ସଂକ୍ରାନ୍ତୀୟ ଅସୁବିଧା ହେଲେ କୁଞ୍ଜବାବୁଙ୍କୁ ଖୋଜାପଡେ। କହିବାକୁ ଗଲେ କୁଞ୍ଜବାବୁ ଏକାଧାରରେ ଜଣେ ପରୋପକାରୀ, ନୀତିବାନ ଓ ନ୍ୟାୟିକ ବ୍ୟକ୍ତି ଥିଲେ। ତାଙ୍କର ଏକମାତ୍ର ଝିଅର ପୁଅ ତାଙ୍କୁ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ କେନ୍ଦ୍ରାପଡ଼ା ବ୍ଲକ ସମେତ ଜିଲ୍ଲାର ସବୁଆଡ଼େ ଶୋକର ବାତାବରଣ ଖେଳିଯାଇଛି। ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ବିଜୟ ମହାପାତ୍ର, ପଟ୍ଟାମୁଣ୍ଡାଇ ର ବରିଷ୍ଠ ରାଜନେତା ବିଜୟ କେତନ ସ୍ୱାଇଁ, ଯୁବନେତା ରବି ସାମଲ, ଗୌରହରି ପତି,କେନ୍ଦ୍ରାପଡ଼ା ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅମ୍ବିକା ପ୍ରସାଦ ପରିଡା, ସମାଜସେବୀ ମାନବସେବା ପରିଷଦ ର ଅଧକ୍ଷ ମନୋଜ ଶତପଥୀ, କାକଟ ର ବିପଦ ଭଞ୍ଜନ ଦାସ, କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଯୁତିଆଳ ଗ୍ରାମର ଭାବଗ୍ରାହୀ ବାବୁଙ୍କ ସମେତ ଅନ୍ୟମାନେ ଶୋକବ୍ୟକ୍ତ କରିଛନ୍ତି।




