ଅନ୍ତର୍ଜାତୀୟରାଜନୀତି

ୟୁଏଇରେ ଓଡ଼ିଶାର ନିବେଶ ଅନ୍ୱେଷଣ ଅଭିଯାନର ଦ୍ୱିତୀୟ ଦିନ

ସେପ୍ଟେମ୍ବର ୧୦। ୟୁଏଇରେ ଓଡ଼ିଶାର ନିବେଶ ଅନ୍ୱେଷଣ ଅଭିଯାନର ଆଜି ଦ୍ୱିତୀୟ ଦିନ।ଓଡ଼ିଶାରେ ବିଶ୍ୱସ୍ତରୀୟ ନିବେଶ ଆଣିବା, ଶିଳ୍ପ ସହଭାଗିତା ବଢ଼ାଇବା ଏବଂ ଓଡ଼ିଶାକୁ ଏକ ଅଗ୍ରଣୀ ଶିଳ୍ପ ଓ ବାଣିଜ୍ୟିକ ଗନ୍ତବ୍ୟସ୍ଥଳ ଭାବେ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ଦ୍ୱିତୀୟ ଦିନରେ ରହିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ।ପ୍ରଥମେ, ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ମହାମାନ୍ୟ ଅବଦୁଲ୍ଲା ବିନ୍ ତୌକ୍ ଅଲ୍ ମାରିଙ୍କ ସହ ହେବ ଉଚ୍ଚସ୍ତରୀୟ ବୈଠକ।ଏହି ଆଲୋଚନାରେ ଓଡ଼ିଶା-ୟୁଏଇ ମଧ୍ୟରେ ନିବେଶ, ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗର ନୂଆ ସମ୍ଭାବନା ଉପରେ ଗୁରୁତ୍ୱ ଦିଆଯିବ। ଏହାପରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ସହ ହେବ ଏକକ ବୈଠକ।

ଓଡ଼ିଶାରେ ନିବେଶ ସୁଯୋଗ, ଶିଳ୍ପ ସହଭାଗିତା ଓ ବ୍ୟବସାୟ ବିସ୍ତାର ନେଇ ଶିଳ୍ପପତିମାନଙ୍କ ସହ ହେବ ବିସ୍ତୃତ ଆଲୋଚନା।ଆଲୁମିନିୟମ୍ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପକୁ ନେଇ ମଧ୍ୟ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ରାଉଣ୍ଡଟେବୁଲ୍ ବୈଠକ।ଓଡ଼ିଶାର ସମୃଦ୍ଧ ଆଲୁମିନିୟମ୍ ଶିଳ୍ପ ପରିବେଶକୁ ଆଧାର କରି ଡାଉନ୍‌ଷ୍ଟ୍ରିମ୍ ଶିଳ୍ପରେ ଅଧିକ ନିବେଶ ଓ ନୂଆ ଶିଳ୍ପ ସୁଯୋଗ ସୃଷ୍ଟି ନେଇ ହେବ ମାନସମନ୍ଥନ।ସେହିପରି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ କାଉନସିଲ୍, ଅର୍ଥାତ୍ IBPC ସହ ମଧ୍ୟ ହେବ ବୈଠକ।ଭାରତ-ୟୁଏଇ ବ୍ୟବସାୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାରେ ନିବେଶର ବିଭିନ୍ନ ସୁଯୋଗ ସମ୍ପର୍କରେ ହେବ ଆଲୋଚନା।

ଏହାସହ ଏମିରେଟ୍ସ ଗ୍ଲୋବାଲ୍ ଆଲୁମିନିୟମ୍, EGA ପରିଦର୍ଶନ କରିବ ଓଡ଼ିଶା ପ୍ରତିନିଧି ଦଳ।ଆଲୁମିନିୟମ୍ ଓ ଡାଉନ୍‌ଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଓ ୟୁଏଇ ମଧ୍ୟରେ ସହଯୋଗର ନୂଆ ସମ୍ଭାବନା ଅନୁଧ୍ୟାନ କରାଯିବ।ରିସାଇକ୍ଲିଂ ଏବଂ ସର୍କୁଲାର୍ ଇକୋନୋମିକୁ ନେଇ ମଧ୍ୟ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା।ବ୍ୟୁରୋ ଅଫ୍ ମିଡିଲ୍ ଇଷ୍ଟ ରିସାଇକ୍ଲିଂ ସହ ଶିଳ୍ପ ରାଉଣ୍ଡଟେବୁଲ୍ ବୈଠକରେ ସ୍ଥାୟୀ ଶିଳ୍ପ ବିକାଶ, ରିସାଇକ୍ଲିଂ ଏବଂ ସର୍କୁଲାର୍ ଇକୋନୋମିରେ ନୂଆ ସୁଯୋଗ ନେଇ ଆଲୋଚନା ହେବ।ଦିନର ଶେଷ ପର୍ଯ୍ୟାୟରେ ଓଡ଼ିଶା ବ୍ୟବସାୟ ପ୍ରତିନିଧି ଦଳ ସହ ହେବ ଏକ ଇଣ୍ଟରଆକ୍ଟିଭ୍ ସେସନ୍।ବ୍ୟବସାୟିକ ସୁଯୋଗ, ନୂଆ ବଜାର ସଂଯୋଗ ଏବଂ ଓଡ଼ିଶା-ୟୁଏଇ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଏହି ସେସନ୍‌ରେ ହେବ ବିଚାରବିମର୍ଶ।

ଏକାଧିକ ଉଚ୍ଚସ୍ତରୀୟ ବୈଠକ, ଶିଳ୍ପପତିଙ୍କ ସହ ଆଲୋଚନା ଏବଂ ନିବେଶର ନୂଆ ସମ୍ଭାବନା ଅନୁସନ୍ଧାନ ସହ ୟୁଏଇରେ ଓଡ଼ିଶାର ନିବେଶ ଅନ୍ୱେଷଣ ଅଭିଯାନ ଆଗକୁ ବଢ଼ୁଛି।ଲକ୍ଷ୍ୟ ଗୋଟିଏ—ଓଡ଼ିଶାରେ ଅଧିକ ନିବେଶ, ଅଧିକ ଶିଳ୍ପ, ଅଧିକ ରୋଜଗାର ଏବଂ ଏକ ସମୃଦ୍ଧ ଓଡ଼ିଶା ଗଠନ।

Related Articles

Back to top button