Uncategorized

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି ମାମଲା: ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୧୬ ପୁଣି ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ଆଇନଗତ ଜଟିଳତା ଓ ଦ୍ୱନ୍ଦ ଜାରି ରହିଛି। ଏହି ମାମଲାରେ ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ପୁଣିଥରେ ଘୁଞ୍ଚିଯାଇଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରାଯାଇଥିବା ନେଇ ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶୁଣାଣି ସମୟରେ ଆମିକସକ୍ୟୁରି ଆଜି କୋର୍ଟରେ ନିଜର ଏକ ନୂତନ ରିପୋର୍ଟ ଦାଖଲ କରିଥିବା ବେଳେ ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ପାଇଁ ସଲିସିଟର ଜେନେରାଲ ସମୟ ଲୋଡ଼ିଥିଲେ। ଏଥିସହିତ ସୁଶାନ୍ତ ନାଥଙ୍କ ପାଇଁ ତାଙ୍କ ଆଇନଜୀବୀ କୋର୍ଟରେ ଆବେଦନ ଦାଖଲ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଓଡ଼ିଶା ସରକାର ପୁଲିସ ମହାନିର୍ଦ୍ଦେଶକ ପଦବୀ ପାଇଁ ଜଣେ କନିଷ୍ଠ ପୁଲିସ ଅଧିକାରୀଙ୍କୁ ସାମିଲ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିଲା। ୨୦୦୬ ମସିହାର ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରି ରାଜ୍ୟ ସରକାର ଏହି ପ୍ରକ୍ରିୟା କରୁଛନ୍ତି ବୋଲି ଆବେଦନକାରୀ ଦର୍ଶାଇଥିଲେ। ପ୍ରକାଶ ସିଂ ମାମଲାର ନିୟମାନୁସାରେ, ସଂଘ ଲୋକସେବା ଆୟୋଗ (ୟୁପିଏସସି) ଦ୍ୱାରା ପ୍ରସ୍ତୁତ ସବୁଠାରୁ ବରିଷ୍ଠ ତିନିଜଣ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ ମହାନିର୍ଦ୍ଦେଶକଙ୍କୁ ଚୟନ କରାଯିବା ଆବଶ୍ୟକ।

Related Articles

Back to top button