Uncategorized

ରାଜ୍ୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ପଦ ମାମଲାକୁ ନେଇ ହାଇକୋର୍ଟଙ୍କ ରାୟ ସଂରକ୍ଷିତ

ଭୁବନେଶ୍ବର: ସରକାର ଗଠନରେ ‘ଉପମୁଖ୍ୟମନ୍ତ୍ରୀ’ ପଦ ନେଇ କୌଣସି ସାମ୍ବିଧାନିକ ବ୍ୟବସ୍ଥା ନାହିଁ । ଜଣେ ମନ୍ତ୍ରୀ ଯେଉଁଭଳି ଭାବେ ଶପଥ ଗ୍ରହଣ କରନ୍ତି ଉପମୁଖ୍ୟମନ୍ତ୍ରୀଙ୍କ ପାଇଁ ସେହି ସମାନ ଢଙ୍ଗରେ ଶପଥ ପାଠ କରାଯାଇଥାଏ । ଏହା ସତ୍ତେ୍ୱ ଓଡ଼ିଶାରେ ଦୁଇଟି ‘ଉପମୁଖ୍ୟମନ୍ତ୍ରୀ’ ପଦ ସୃଷ୍ଟି କରାଯାଇଛି । ଏହା ଅସାମ୍ବିଧାନିକ ବ୍ୟବସ୍ଥା ବୋଲି ଅଭିଯୋଗ କରି ହାଇକୋର୍ଟରେ ମାମଲା ଦାଏର ହୋଇଥିଲା । ଏଲିନା ଦାଶଙ୍କ ପକ୍ଷରୁ ରୁଜୁ ଏହି ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟ ଶେଷ କରିଛନ୍ତି । ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ସବୁ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି । ଆବେଦନକାରିଣୀ ପିଟିସନ୍‌ରେ ଦର୍ଶାଇଛନ୍ତି ଯେ, ‘ଉପମୁଖ୍ୟମନ୍ତ୍ରୀ’ ପଦ ଲାଗି ସମ୍ବିଧାନରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ସତ୍ତେ୍ୱ ୨୦୨୪ରେ ନୂତନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଦୁଇଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ରଖାଯାଇଛି । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଜଣେ ମନ୍ତ୍ରୀଙ୍କଠାରୁ ଅଧିକ ସୁବିଧା ନଦେବା ଓ ସରକାରଙ୍କ ପକ୍ଷରୁ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉଥିବା ବିଭିନ୍ନ ସୁବିଧାକୁ ପ୍ରତ୍ୟାହାର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପିଟିସନରେ ପ୍ରାର୍ଥନା କରାଯାଇଥିଲା । ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନସଚିବ, ରାଜ୍ୟପାଳଙ୍କ ସଚିବ, ଆକାଉଣ୍ଟାଣ୍ଟ ଜେନେରାଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କୁ ପକ୍ଷଭୁକ୍ତ କରାଯାଇଛି । ଏହି ମାମଲାରେ ଆଡ୍‌ଭୋକେଟ୍ ଜେନରାଲ୍ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖି ଅଧିକ ତଥ୍ୟ ନଥିବାରୁ ମାମଲାକୁ ଖାରଜ କରାଯିବା ଲାଗି ପ୍ରାର୍ଥନା କରିଥିଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ମାମଲାର ରାୟ ସଂରକ୍ଷିତ ରଖିଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।

Related Articles

Back to top button